ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘5T’କୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରାଜ୍ୟର ସ୍କୁଲରେ ଶିକ୍ଷକ ନାହାଁନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି । ସେପରି ସ୍ଥିତିରେ ଏହି ‘5T’ର ଅର୍ଥ କଣ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ସେ ଆହୁରି କହିଛନ୍ତି ସଚିବମାନେ ଜିଲ୍ଲା ଗସ୍ତ କରିବା କଥା । କିନ୍ତୁ ଯାଉନଥିଲେ । ଏବେ ଯାଉଛନ୍ତି ଭଲ କଥା ହେଲେ ରାଜ୍ୟ ସରକାରଙ୍କ ‘5T’ ଗୋଟିଏ ଧୂଆଁ ବାଣ । ନବୀନ ସରକାରରେ ଟ୍ରାନ୍ସପେରେନ୍ସ କି ଟିମ ୱାର୍କ ନାହିଁ । ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ନାହିଁ । ଏଥିରୁ ସ୍ପଷ୍ଟ ସରକାର କିଭଳି ଚାଲୁଛି । ସରକାର ସଚିବ ଆଧାରିତ ସରକାର । କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏମିତି କରାଯାଉଛି । ମୁଖ୍ୟମନ୍ତ୍ରୀ ପ୍ରତିଦିନ ନୂଆ ନୂଆ ଘୋଷଣା କେବଳ ଭାଣ୍ଡାମୀ ଛଡା ଆଉ କିଛି ନୁହେଁ ବୋଲି ପ୍ରତାପ କହିଥିବା ବେଳେ ଏହାର ଜବାବ ରଖିଛି ବିଜେଡି ।
ବିଜେଡି କହିଛି, ସଚିବମାନେ ଜିଲ୍ଲା ଗସ୍ତ କରି ଲୋକଙ୍କ ଅସୁବିଧା ଶୁଣୁଛନ୍ତି, ଏହାର ସମାଧାନ ପାଇଁ ବାଟ ବାହାର କରୁଛନ୍ତି । ଏହା ବିଜେପିକୁ କାହିଁକି ହଜମ ହେଉନାହିଁ ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି । ଏହା ସହ ସେ କହିଛନ୍ତି, ଯଦି ରାଜ୍ୟର ଆର୍ଥିକ ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଏତେ ଚିନ୍ତା ହେଉଛି, ତାହାଲେ କେନ୍ଦ୍ର ସରକାରକୁ କହି ଓଡିଶା ପାଇଁ ସ୍ବତନ୍ତ୍ର ଅନୁଦାନ ଆଣନ୍ତୁ ।
ସୂଚନା ଅନୁସାରେ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ପ୍ରଶାସନକୁ ଅଧିକ ଲୋକଙ୍କ ନିକଟତର କରିବା ପାଇଁ ଆରମ୍ଭ ହୋଇଛି ‘ମୋ ସରକାର’ । ଡିସେମ୍ବର ସୁଦ୍ଧା ଆଉ ‘5T’ ବିଭାଗରେ ଏହା ଲାଗୁ ହେବ ଓ ଆସନ୍ତା ମାର୍ଚ୍ଚ ୨୦୨୦ ସୁଦ୍ଧା ସମସ୍ତ ସରକାରୀ ବିଭାଗରେ ‘ମୋ ସରକାର’ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ