ଭୁବନେଶ୍ବର: କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବର ସ୍ଥିତ ଲାଇଫ୍ ସାଇନ୍ ଇନଷ୍ଟିଚ୍ୟୁଟ୍ (ଆଇଏଲଏସ) ଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ ଅନ୍ ମେରାଇନ୍ ବାୟୋ ଟେକ୍ନୋଲୋଜି ପ୍ରତିଷ୍ଠା ଲାଗି ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ।
ଓଡିଶାରେ ସମୁଦ୍ରକୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାର ସନ୍ତୁଳନକୁ ଆଖିରେ ରଖି ଏହି ଗବେଷଣା ପ୍ରତିଷ୍ଠାନ ନିର୍ମାଣ ଲାଗି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି । ଓଡିଶାର ସୁଦୀର୍ଘ ବେଳାଭୂମି ଶତାବ୍ଦୀ ଶତାବ୍ଦୀ ଧରି ରାଜ୍ୟର ଏକ ହଲମାର୍କ ଭାବରେ ପରିଗଣିତ ହୋଇଛି । ମତ୍ସ୍ୟ ଚାଷ, ପର୍ଯ୍ୟଟନ, ବାଣିଜ୍ୟ ଏବଂ ଲଜିଷ୍ଟିକ୍ ତଥା ଆନୁଷଙ୍ଗିକ କାମରେ ନିୟୋଜିତ ଥିବା ବିଭିନ୍ନ ବର୍ଗର ଲକ୍ଷାଧିକ ଲୋକଙ୍କୁ ଏହି ବେଳାଭୂମି ରୋଜଗାର ଦେଉଛି । ସମୁଦ୍ର ଆଧାରିତ ନୀଳ ଅର୍ଥନୀତି ପାଇଁ ବିଗତ 6 ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାର ସୁଦୀର୍ଘ ବେଳାଭୂମି କେନ୍ଦ୍ରବିନ୍ଦୁରେ ରହିଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ଓଡିଶାର ପର୍ଯ୍ୟଟନ ତଥା ଏଭଳି କ୍ଷେତ୍ର ପାଇଁ ଏକ ମେରୁଦଣ୍ଡ ଭାବରେ ପରିଗଣିତ ହୋଇଛି । ସେହିପରି ପାରାଦ୍ବୀପ ବନ୍ଦର, ଆଇଓସିଏଲ ପାରାଦ୍ବୀପ ବିଶୋଧନାଗାର ଓ ବିକାଶମୂଳକ ପ୍ରକଳ୍ପ, ଧାମରା ଏଲଏନଜି ଟର୍ମିନାଲ, ପ୍ରସ୍ତାବିତ ଦୀଘା - ଗୋପାଳପୁର କୋଷ୍ଟାଲ ହାଇୱେର ବିକାଶ ତଥା ପ୍ରତିଷ୍ଠା ହେବାକୁ ଥିବା ପାରାଦ୍ବୀପ ଏବଂ ବାଲେଶ୍ବରରେ ମାଛଧରା ବନ୍ଦର ସମୁଦ୍ର ଆଧାରିତ ଅର୍ଥନୀତିର ସଠିକ୍ ସମ୍ଭାବନାର ସମ୍ଭାର ଖୋଲିବା ସହ ଓଡିଶା ଓ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବ ବୋଲି ସେ ଲେଖିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଏହିଭଳି ଅର୍ଥନୀତିର ବିକାଶ ନିଶ୍ଚିତ ଭାବରେ ପରିବେଶ ସଂରକ୍ଷଣ ସହ ସନ୍ତୁଳନ ରଖାଯିବା ଆବଶ୍ୟକ । ତେଣୁ ବିଶେଷ ଭାବରେ ଯେତେବେଳେ ଆମେ ସାମୁଦ୍ରିକ ବାୟୋ - ଟେକ୍ନୋଲୋଜି ଜରିଆରେ ନୋଭେଲ୍ ଆପ୍ରୋଚେସକୁ ବିକଶିତ କରୁଛେ । ସେହି ସମୟରେ ଏହି ଉତ୍କୃଷ୍ଟ ସାମୁଦ୍ରିକ ପରିସଂସ୍ଥାନ ଯଥା ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବଂ ଉପକୂଳ ଅଞ୍ଚଳରେ ଥିବା ଗଛ ବିଶେଷ ଭାବରେ ଲୁଣି ହେନ୍ତାଳ ଗଛ ଗୁଡିକର ସଂରକ୍ଷଣ ପାଇଁ ପୁଞ୍ଜିନିବେଶ କରିବା ଏକାନ୍ତ ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି ।
ପରିବେଶ ସଂରକ୍ଷଣ କ୍ଷେତ୍ର ଗୁଡିକରେ ଭୁବନେଶ୍ବର ସ୍ଥିତ ଲାଇଫ୍ ସାଇନ୍ ଇନଷ୍ଟିଚ୍ୟୁଟ୍ ବିଭିନ୍ନ ଗବେଷଣା ମାଧ୍ୟମରେ ଆଞ୍ଚଳିକ ଜୈବ ସମ୍ବଳର ପରିଚାଳନା, ଇକୋ ସଂରକ୍ଷଣ ଉଦ୍ୟମ ଏବଂ ସାମୁଦ୍ରିକ ଉତ୍ସର ସଠିକ୍ ବ୍ୟବହାର ସପକ୍ଷରେ ଏକାଧିକ ପ୍ରକାଶନୀ ଓ ପେଟ ଦ୍ଵାରା ପ୍ରମାଣିତ କରିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡିଶାର ଉକୃଷ୍ଟ ସାମୁଦ୍ରିକ ପରିସଂସ୍ଥାନର ସନ୍ତୁଳନ ଏବଂ ଏହାର ନୀଳ ଅର୍ଥନୀତିର ଅଭିବୃଦ୍ଧି ପରିପ୍ରେକ୍ଷୀରେ ଏହିସବୁ କ୍ଷେତ୍ର ଗୁଡିକରେ ବୈଜ୍ଞାନିକ ଗବେଷଣା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ । ଏ ନେଇ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର ଚିଠିରେ ଦର୍ଶାଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ