ଭୁବନେଶ୍ବର: ନୂଆଦିଲ୍ଲୀରେ ଓଡ଼ିଆ ଜାତିର ବୀରତ୍ବର କାହାଣୀ ଉପରେ ଆଧାରିତ 'ବିଦ୍ରୋହୀ'ର ସ୍ପେଶାଲ୍ ସ୍କ୍ରିନିଂ ଆଜି(ସୋମବାର) ଅନୁଷ୍ଠିତ ହେବାକୁ ଯାଉଛି । ଏହି ସ୍ପେଶାଲ୍ ସ୍କ୍ରିନିଂ ଦେଖିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ତାଙ୍କ ସାଥୀରେ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଘଟିଥିବା ଓଡ଼ିଆ ଜାତିର ବୀରତ୍ବର କାହାଣୀ ‘ପାଇକ ବିଦ୍ରୋହ’ ଓ ଏହାର ନେତୃତ୍ବ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ରହିଛି ଏହି ଧାରାବାହିକ 'ବିଦ୍ରୋହୀ' ।
ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଶାହ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସାଥୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହେବେ । ଓଡ଼ିଆ ସମାଜ ଓ ବିଦ୍ରୋହୀ ଟିମ୍ ଦ୍ବାରା ଏହି ସ୍ପେଶାଲ ସ୍କ୍ରିନିଂର ଆୟୋଜନ କରାଯାଇଛି । 'ଷ୍ଟାର୍ ପ୍ଲସ୍' ଭଳି ଜାତୀୟ ସ୍ତରର ପ୍ରମୁଖ ଏଣ୍ଟରଟେନମେଣ୍ଟ୍ ଚ୍ୟାନେଲ୍ ଓ ହଟ୍ ଷ୍ଟାର୍ ଭଳି ଲୋକପ୍ରିୟ OTT ପ୍ଲାଟଫର୍ମରେ ବିଦ୍ରୋହୀ ପ୍ରସାରଣ ହେଉଥିଲା ।
ଆଜି ସଂଧ୍ୟା ୮ଟାରେ ‘ବିଦ୍ରୋହୀ’ ସିରିଏଲର ସ୍ପେଶାଲ ସ୍କ୍ରିନିଂ କରାଯିବ । ଏହି କାର୍ଯ୍ୟକ୍ରମରେ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୧୮୧୭ ମସିହାରେ ଓଡିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ହୋଇଥିବା ବିଦ୍ରୋହର କାହାଣୀ ଏହି ଧାରାବାହିକରେ ଉଲ୍ଲେଖିତ । ଇଂରେଜମାନଙ୍କ କଠୋର ଆଇନ ବିରୋଧରେ ବୀର ପାଇକମାନଙ୍କ ଭୂମିକା, ତ୍ୟାଗ, ପରାକ୍ରମ ଓ ବିଦ୍ରୋହ ଉପରେ ଏହା ପର୍ଯ୍ୟବେଷିତ ।
ସୁବ୍ରତ ସିହ୍ନାଙ୍କ ପ୍ରଯୋଜିତ ଏହି ଧାରାବାହିକରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଶରଦ ମଲହୋତ୍ରା ଅଭିନୟ କରିଥିବାବେଳେ ବକ୍ସିଙ୍କ ରାଣୀ ଭୂମିକାରେ ଅଭିନେତ୍ରୀ ହେମଲ ଦେବ୍ ଏବଂ ଓଡିଆ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ଅଭିନୟ କରିଛନ୍ତି । ପାଇକ ବିଦ୍ରୋହ ହେଉଛି ଓଡିଆ ଜାତିର ଅଦମ୍ୟ ସାହସର ଜ୍ବଳନ୍ତ ଗାଥା । ଏହି ବୀରତ୍ବପୂର୍ଣ୍ଣ ଓ ଶୌର୍ଯ୍ୟମୟ ପାଇକ ବିଦ୍ରୋହ ଓଡିଆ ଜନମାନସରେ ଏକ ଗୌରବମୟ ସ୍ଥାନ ରଖିଛି । ଧର୍ମେନ୍ଦ୍ରଙ୍କ ପ୍ରଚେଷ୍ଟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମର୍ଯ୍ୟାଦାବନ୍ତ ସ୍ଥାନ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ