ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ଐତିହାସିକ ଓ ଯୁଗାନ୍ତକାରୀ କହିଛି ରାଜ୍ୟ ବିଜେପି । ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ବଜେଟକୁ ସ୍ଵାଗତ କରିଛନ୍ତି । ସ୍ଵାଧୀନତାର 75 ବର୍ଷ ପାଳନ ଅର୍ଥାତ ଅମୃତକାଳର ଏହି ବଜେଟ ଶ୍ରେଷ୍ଠ ଭାରତ ଗଠନର ମୂଳଦୁଆ ହେବ ବୋଲି ସେ କହିଛନ୍ତି ।
ସମାଜର ସବୁ ବର୍ଗଙ୍କ ପାଇଁ ଏହି ବଜେଟରେ ଚିନ୍ତା କରିଛନ୍ତି କେନ୍ଦ୍ର ସରକାର । ମହାମାରୀ ସମୟରେ ସମସ୍ତ ଦେଶର ଅର୍ଥନୀତି ସଙ୍କଟ ଦେଇ ଗତି କରୁଛି ହେଲେ ଭାରତ ମଜବୁତ୍ ଅଛି । ସଫଳତାର ସହ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟବାସୀଙ୍କୁ ଅନେକ ସୁଫଳ ମିଳିବ। ଏଣୁ ବଜେଟର କାର୍ଯ୍ୟକାରିତା ମିଶନ ମୋଡ଼ରେ ଗ୍ରାମାଞ୍ଚଳରେ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କୁ ଅନରୋଧ କରିଛନ୍ତି ସମୀର। ସାମଗ୍ରିକ ଭାବେ ଦେଖିଲେ ରୋଜଗାର ସୃଷ୍ଟି ପାଇଁ ନିବେଶ ବ୍ୟବସ୍ଥା ହୋଇଛି ଯାହା ଦ୍ଵାରା 60 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।
ଚାଷୀଙ୍କ ପାଇଁ ବଜାର ବ୍ୟବସ୍ଥା ଓ ଟେକ୍ନୋଲୋଜି ବ୍ୟବହାର କରି ଖର୍ଚ୍ଚ କମାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମହିଳା ସଶକ୍ତିକରଣ ପାଇଁ ବ୍ୟାପକ ବ୍ୟୟବରାଦ ହୋଇଛି। ଏଥିରୁ ରାଜ୍ୟର 70 ଲକ୍ଷ ମହିଳା ଗୋଷ୍ଠୀର ମହିଳାମାନେ ଫାଇଦା ପାଇବେ। ସେମାନଙ୍କୁ ଆଗକୁ ଆୟକର ଦାତାରେ ତାଲିକାରେ ସାମିଲ କରିବାକୁ ଲକ୍ଷ୍ୟ ରହିଛି । ନୂଆ ଭାରତର ନୂଆ ନାଗରିକ ସୃଷ୍ଟି ପାଇଁ ପ୍ରି ସ୍କୁଲ ଅର୍ଥାତ ଅଙ୍ଗନୱାଡ଼ି ଉନ୍ନତିକରଣ ପାଇଁ ବ୍ୟବସ୍ଥା ହୋଇଛି। ବ୍ୟାପକ ଭାବରେ ଏକଲବ୍ୟ ସ୍କୁଲ ସଂଖ୍ୟା ବଢିବାକୁ ନିଷ୍ପତ୍ତି ହୋଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ବ୍ୟୟବରାଦ ହୋଇଛି ଓଡ଼ିଶାର ଅନେକ ଗରିବ ଲୋକ ତାର ଫାଇଦା ପାଇବେ । କିନ୍ତୁ ରାଜ୍ୟ ସରକାର ରାଜନୀତି ନକରି ଯୋଗ୍ୟ ଲୋକ କେମିତି ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସମୀର । ପଞ୍ଚାୟତ ଓ ବ୍ଳକ୍ ପ୍ରତିନିଧି ମାନଙ୍କୁ ପଞ୍ଚଦଶ ଅର୍ଥ କମିଶନର 20 ପ୍ରତିଶତ ଓ ଜିଲ୍ଳା ପରିଷଦ ସଭ୍ୟ ମାନଙ୍କୁ 10 ପ୍ରତିଶତ ଖର୍ଚ୍ଚ କରିବାକୁ କ୍ଷମତା ଦିଆଯିବା ସେମାନଙ୍କ ପ୍ରତି ଉପହାର।
ଗ୍ରାମାଞ୍ଚଳରେ ଜୀବନଧାରଣ ଉନ୍ନତ କରିବାରେ ସହାୟକ ହେବ। ଗତି ଶକ୍ତି ମିଶନ ମୋଡ଼ରେ କାମ ହୋଇଛି ଓଡ଼ିଶାରେ 5 ହଜାର 750 କିମି ରାସ୍ତା ହୋଇଛି । ଏଥିପାଇଁ ଓ ଜଳପଥ ପାଇଁ ବି ବ୍ୟୟବରାଦ ହୋଇଛି। ପ୍ରତ୍ୟେକ ଘରକୁ ପାଣି ଯୋଗାଇବା ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି । 400 ବନ୍ଦେ ମାତରମ୍ ଟ୍ରେନ୍ ଚଲାଇବାକୁ ବ୍ୟବସ୍ଥା ଓଡିଶାକୁ ବି ଅନେକ ମିଳିବ। ପୋଷ୍ଟ ଅଫିସ ଗୁଡିକ ଡ଼ିଜିଟାଲ ନଵୀକରଣ ହୋଇ ଏଟିଏମ ହେବ । ବ୍ୟାକିଙ୍ଗ ସୁବିଧା ନଥିବା ଅଞ୍ଚଳରେ ଏହାଦ୍ଵାରା ଅନେକ ଉପକୃତ ହେବେ।
5000 ରାଜସ୍ବ ଗ୍ରାମକୁ ଅପ୍ଟିକାଲ ଫାଇବର ସହ ଯୋଡ଼ିବାକୁ ବ୍ୟବସ୍ଥା ହୋଇଛି । ରାଜ୍ୟରେ ଭୁଶୁଡ଼ି ପଡିଥିବା ସମବାୟ ସଂସ୍ଥା ଗୁଡିକୁ ସୁଦୃଢ କରିବାକୁ ଏହି ବଜେଟରେ ବ୍ୟବସ୍ଥା ହୋଇଛି । ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି ବଜେଟର ଫାଇଦା ତୀବ୍ର ଗତିରେ ରାଜ୍ୟର ପ୍ରତି ଲୋକ ପାଖରେ ପହଞ୍ଚାଇବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ସମୀର ମହାନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ