ଭୁବନେଶ୍ବର: ଆଜି ପଛରେ ନାହାନ୍ତି ତୃତୀୟ ଲିଙ୍ଗ । ନିଜକୁ ସ୍ବାବଲମ୍ବୀ କରି ସମ୍ମାନର ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସମାଜ ସେମାନଙ୍କୁ ଅନ୍ୟଠୁ ଭିନ୍ନ କହୁଥିବା ବେଳେ ନିଜ ଦକ୍ଷତା ଓ ପ୍ରତିଭା ବଳରେ ସେ ନିଜର ବଳିଷ୍ଠ, ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଉ ଗର୍ବର ସହ କହୁଛନ୍ତି, "ହଁ ଆମେ ବି ସକ୍ଷମ । ଆମେ ବି ଏ ସମାଜରେ ମୁଣ୍ଡଟେକି ଚଳିପାରିବୁ ।" ରାଜଧାନୀ ଭୁବନେଶ୍ବରରେ ୨ ସଫଳ କିନ୍ନର ସ୍ବାବଲମ୍ବୀ ହୋଇ ସମାଜରେ ଅନ୍ୟ କିନ୍ନର ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।
ଥରେ ଚିନ୍ତା କରନ୍ତୁ ଏହି କିନ୍ନରଙ୍କ କଥା । ଘରଲୋକେ ପର କରିଦେବା ପରେ କେମିତି ହୋଇଥିବ ସେମାନଙ୍କ ଜୀବନଶୈଳୀ । ଘର ଲୋକ ପର କରିଦେବା ପରେ ଏଣେତେଣେ ହାତ ପତାଇ ଏମାନେ ନିଜ ଗୁଜୁରାଣ ମେଣ୍ଟାନ୍ତି । ମାତ୍ର ଏହାଠୁ ଆଗରେ ରାଜଧାନୀର ଏହି ୨ କିନ୍ନର । କାହା ଆଗରେ ହାତ ପତାଇବା ଅପେକ୍ଷା ନିଜ ପ୍ରତିଭାର ସଦୁପଯୋଗ କରି କିପରି ସମ୍ମାନର ସହ ସମାଜରେ ବଞ୍ଚିହେବ ତାର ଉଦାହରଣ ସାଜିଛନ୍ତି ଏମାନେ ।
ଏହି ୨ ସଫଳ କିନ୍ନରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସାଧନା ମିଶ୍ର । ଯିଏକି ଭୁବନେଶ୍ବରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ମାସିକ ୪୦ ହଜାର ଟଙ୍କାରେ ସେ ଚାକିରି କରନ୍ତି । ଅଫିସରେ ସହକର୍ମୀମାନଙ୍କ ସହିତ ରହି ବେଶ ସୁବିଧା ଓ ସହଜରେ କାମ କରନ୍ତି । ସମ୍ମାନର ସହ ବଞ୍ଚିବା ଲାଗି କେମିତି ସଂଘର୍ଷ କରି ସଫଳତାର ପାଦଦେଶରେ ପହଞ୍ଚିବା ସମ୍ଭବ ହୋଇପାରେ ତାହା କରିଦେଖାଇଛନ୍ତି ସାଧନା । ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କ କହିବାନୁସାରେ "କାମ ଧନ୍ଦା କରି ବି ବଞ୍ଚି ହେବ । ହାତ ପତେଇବା ଦରକାର ନାହିଁ ।" ସଂଘର୍ଷ ଭିତରେ କିପରି ସଫଳତା ପାଇହେବ ସେ କଥା କହିଛନ୍ତି ସାଧନା ।
ସେପଟେ ବସ୍ତିରେ ରୁହନ୍ତି ଆଉ ଜଣେ ସଫଳ କିନ୍ନର ମମି । ମମି ମାନେ ମେନକା କିନ୍ନର । ବସ୍ତିର ଛୋଟ ଛୋଟ ପିଲାମାନଙ୍କୁ ସେ ସବୁଦିନ ପାଠ ପଢାନ୍ତି । ତେବେ ରକ୍ଷାବନ୍ଧନ ଯୋଗୁଁ ପାଠପଢା ବନ୍ଦ କରି ରକ୍ଷା ବନ୍ଧନ ପାଳନ କରୁଛନ୍ତି ଏମାନେ । ଛୋଟ ଛୋଟ ପିଲାମାନେ ରାକ୍ଷୀ ବାନ୍ଧିବା ସହିତ ମେନକାଙ୍କ ହାତରୁ ଅତି ଆଦରରେ ମିଠା ଖାଇଛନ୍ତି । ଆଉ ସମସ୍ତେ ମିଶି ବାଜା ବଜାଇ ଗୀତ ଗାଉଥିବା ଦେଖିବାକୁ ମିଳିଛି । ମେନକାଙ୍କ ନିଜ ସଂଘର୍ଷ ସମ୍ପର୍କରେ କୁହନ୍ତି, "ସମାଜ ସେବା ହେଉ ଅବା ଚାକିରି ଏହାକୁ ବୃତ୍ତି ଭାବେ ଗ୍ରହଣ କରି ସମ୍ମାନର ସହ ବଞ୍ଚିହେବ । ଯେଉଁମାନେ ବୁଝୁନାହାନ୍ତି, ଆମେ ସେମାନଙ୍କୁ ବୁଝାଉଛୁ । ସମାଜର ମୁଖ୍ୟସ୍ରୋତରେ ସାମିଲ କରୁଛୁ ।"
ଏହି ଦୁଇଟି କାହାଣୀ କେବଳ ଗୋଟିଏ କଥା କହୁଛି ଯଦି ଜୀବନରେ କିଛି କରିଦେଖାଇବାରୁ ଝୁଙ୍କ ଅଛି, ତେଣୁ ଅସମ୍ଭବ ବି ସମ୍ଭବ ହୋଇପାରେ । କିନ୍ନରମାନେ ବି କିଛି କରି ଦେଖାଇ ପାରନ୍ତି । ସମାଜର ମୁଖ୍ୟସ୍ରୋତରେ ଏହିପରି ସାମିଲ ହୋଇପାରନ୍ତି ।
ଭୁବନେଶ୍ବରରୁ ଲାଲମୋହନ ପଣ୍ଡା, ଇଟିଭି ଭାରତ