ଭୁବନେଶ୍ବର: ଆସନ୍ତା 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସଂଗଠନ ସଜାଡିବା ସହ କର୍ମୀଙ୍କୁ ସକ୍ରିୟ କରିବାକୁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ସେହିପରି ବିଜୁ ଜନତା ଦଳ ନିଜର ଛାମୁଆ ସଂଗଠନକୁ କ୍ରିୟାଶୀଳ କରିବା ଲାଗି ପଦକ୍ଷେପ ନେଇଛି । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିଜେଡି । ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଧର୍ମଶାଳାରୁ ଆରମ୍ଭ ହେବ ।
ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା ଏନେଇ କହିଛନ୍ତି ଯେ, ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସଦା ସର୍ବଦା ଚଳଚଞ୍ଚଳ । ଦଳର କର୍ମୀମାନେ ସବୁବେଳେ ଜନ ସାଧାରଣଙ୍କ ସାଥୀରେ ଅଛନ୍ତି । ସେଥିପାଇଁ ବିଜୁ ଜନତା ଦଳର ନୀତିଗତ, ଆଦର୍ଶ ଗତ ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଁଚେଇବା ଲାଗି କର୍ମୀଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି । ସେ ଦୃଷ୍ଟିରୁ ଧର୍ମଶାଳାରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଜୁ ଜନତା ଦଳ ବର୍ଷ ତମାମ କର୍ମୀଙ୍କୁ ଆଗରେ ରଖି ଚାଲିଥାଏ । କର୍ମୀଙ୍କୁ ଠିକଣା ମାର୍ଗଦର୍ଶନ ଦେଇ ସରକାରଙ୍କୁ 22 ବର୍ଷ ହେଲା ତିଷ୍ଠିବାରେ ସହାୟକ ହୋଇଛି ।
ସେହିପରି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ବିଜେଡିର ଛାମୁଆ ସଂଗଠନ ଯୁବ, ଛାତ୍ର, ମହିଳା, ଶ୍ରମିକ ଓ ସଂଖ୍ୟାଲଘୁ ସେଲର ପ୍ରଶିକ୍ଷଣ ଶିବିର ଆୟୋଜନ ହେବ । ଆସନ୍ତାକାଲି ଧର୍ମଶାଳାରୁ ଏହା ଆରମ୍ଭ ହେବ । ଦଳ ପକ୍ଷରୁ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଏହାର ସମୀକ୍ଷା ହେବ । ଏହି ସମୀକ୍ଷାରୁ ଯେଉଁ ନିଷ୍କର୍ସ ବାହାରେ ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ନିଆଯାଏ । ସଂଗଠନ ଉପରେ ବିଜୁ ଜନତା ଦଳ ଅଧିକ ଗୁରୁତ୍ୱ ଦିଏ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ 5 ଥର ସରକାର ଗଠନ କରିଛି । ବିଜେଡିର ସାଙ୍ଗଠନିକ ପ୍ରକ୍ରିୟା ଅତ୍ୟନ୍ତ ମଜବୁତ ଓ ଶୃଙ୍ଖଳିତ । ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି, ତାହା ଭାରତ ବର୍ଷରେ ଗୋଟେ ଗୋଟେ ମଡେଲ । ସରକାରଙ୍କ ଏହି ଯୋଜନା ତଳସ୍ତରରେ ରହିଥିବା ଲୋକଙ୍କ ପାଖରେ ପହଞ୍ଚିବ ଏହି ଦାଇତ୍ଵ ପ୍ରଶାସନର ଯେତିକି ତାହା ଠାରୁ ଅଧିକ ଦାଇତ୍ୱ ବିଜୁ ଜନତା ଦଳର । ତେଣୁ ବିଜେଡି କର୍ମୀ ଏଥିପାଇଁ ସବୁବେଳେ ଚେଷ୍ଟିତ । ସମର୍ଥିତ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଓ ଛାମୁଆ ସଂଗଠକ ଅହରହ ଲାଗି ରହନ୍ତି । ତେଣୁ ସାଧାରଣ ଲୋକ ଏହି ଦଳ ସହିତ ଯୋଡି ହୋଇ ରହିଛନ୍ତି । ଦଳକୁ ବିଶ୍ୱାସକୁ ନେଇଛନ୍ତି । ଗୋଟେ ନିର୍ବାଚନରୁ ଆଉ ଏକ ନିର୍ବାଚନ ମଧ୍ୟରେ ପ୍ରାଥମିକ ସଦସ୍ୟ ଗ୍ରହଣ, ସୋସିଆଲ ମିଡ଼ିଆ ଗ୍ରୁପ, ପଞ୍ଚାୟତ କମିଟି, ବ୍ଲକ କମିଟି, ଜିଲ୍ଲା କମିଟି, ରାଜ୍ୟ କମିଟି ଗଠନ ପ୍ରକ୍ରିୟା ଜାରି ରୁହେ ।
ଇଟିଭି ଭାରତ, ଭୁବନେଶ୍ବର