ଭୁବନେଶ୍ବର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ଆଉ ପାଦେ ଆଗକୁ ବଢାଇଲେ ରାଜ୍ୟ ସରକାର । ଏନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାସ୍ତାପାର୍ଶ୍ବ ସୁବିଧା କେନ୍ଦ୍ର ଗୁଡ଼ିକର ଉତ୍ତମ ପରିଚାଳନା ଓ ରକ୍ଷଣାବେକ୍ଷଣ ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ସହଜ, ଆତିଥ୍ୟପୂର୍ଣ୍ଣ ଏବଂ ନିରାପଦ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ପୂର୍ତ୍ତ, ପର୍ଯ୍ୟଟନ ଏବଂ ମିଶନଶକ୍ତି ବିଭାଗଙ୍କୁ କୁହାଯାଇଛି । ଭ୍ରମଣକାରୀ ଏବଂ ପର୍ଯ୍ୟଟକମାନେ ଯିବା ଆସିବା କରୁଥିବା ରାସ୍ତା ନିକଟସ୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ସ୍ଥାନ ଗୁଡିକୁ ଚିହ୍ନଟ କରି ସେସବୁର ଏକ ସଂକ୍ଷିପ୍ତ ବିବରଣୀ ଭିତ୍ତିକ ତାଲିକା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଗ୍ରାମ ଉନ୍ନୟନ ଓ ପୂର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା କରାଗଲେ ପର୍ଯ୍ୟଟକମାନେ ଦୀର୍ଘ ଯାତ୍ରାର କ୍ଲାନ୍ତିରୁ ସାମାନ୍ୟ ବିରାମ ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିଦର୍ଶନ କରିପାରିବେ । ଓଡ଼ିଶା ଭ୍ରମଣ ସେମାନଙ୍କ ପାଇଁ ଅଧିକ ଉପଭୋଗ୍ୟ ଓ ସ୍ମରଣୀୟ ହେବ ବୋଲି ସିଏସ କହିଛନ୍ତି ।
ରାଜ୍ୟର ବିଭିନ୍ନ ରାଜପଥ ଏବଂ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ପାର୍ଶ୍ବରେ ବର୍ତ୍ତମାନ ସୁଦ୍ଧା ୮୪ଟି ରାସ୍ତାପାର୍ଶ୍ବ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି । ଏସବୁ କେନ୍ଦ୍ରରେ ଗାଡି ପାର୍କିଂ, ମହିଳା ଓ ପୁରୁଷ ଶୌଚାଳୟ, ପ୍ରସାଧନ ସ୍ଥାନ, ବସିବା ସ୍ଥାନ, ଚା କଫି ଓ ଜଳଖିଆ ଆଦି ସ୍ଥାନ ନିର୍ମାଣ କରାଯାଇଛି । ଏଥିମଧ୍ୟରୁ ୩୫ଟି କେନ୍ଦ୍ର ପର୍ଯ୍ୟଟନ ବିଭାଗ ଏବଂ ୪୯ଟି କେନ୍ଦ୍ର ପୂର୍ତ୍ତ ବିଭାଗ ମାଧ୍ୟମରେ ନିର୍ମାଣ କରାଯାଇଛି । ଏହାଛଡ଼ା ପ୍ରକୃତି ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଜଙ୍ଗଲ ଓ ପରିବେଶ ବିଭାଗମାଧ୍ୟମରେ ମଧ୍ୟ ପର୍ଯ୍ୟଟନ-ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି ।
ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମିଶନ ଶକ୍ତି ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ବିଭାଗର ସହାୟକ ନିର୍ଦ୍ଦେଶକ ଅଂଶୁମାନ ରଥଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର