ଭୁବନେଶ୍ବର: ଆଲୋଚନା ପର୍ଯ୍ୟାଲୋଚନା, ଯୋଜନାରେ ଅଟକିଛି ରାଜ୍ୟର ବହୁପ୍ରତିକ୍ଷିତ ଶାମୁକା ପ୍ରକଳ୍ପ । 2008 ମସିହାର ଏହି ପ୍ରକଳ୍ପ କେବଳ ଯୋଜନାରେ ହିଁ ଅଟକିଯାଇଛି । ଫଳରେ ଏହି ପ୍ରକଳ୍ପର ଭବିଷ୍ୟତକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ଛିଡା ହୋଇଛି ।
ସୂଚନା ମୁତାବକ 2008 ମସିହାରେ ରାଜ୍ୟ ପର୍ଯ୍ୟଟନ ବିଭାଗ 9ଶହ ଏକର ଜାଗାରେ ଶାମୁକା ପ୍ରକଳ୍ପ କରିବା ପାଇଁ ନିଷ୍ପତି ନେଇଥିଲା । ଯେଉଁଥିରେ 8ରୁ 10 ଗୋଟି ବିଳାସପୂର୍ଣ୍ଣ ହୋଟେଲ ତିଆରି ହୋଇଥାନ୍ତା । ହେଲେ ସରକାରଙ୍କ ଉଦାସୀନତା ଯୋଗୁଁ ଏହିନ ପ୍ରକଳ୍ପ ଯେଉଁଠୁ ଆରମ୍ଭ ହୋଇଥିଲା ସେଇଠି ହିଁ ଅଛି । ଏବେ ପୁଣିଥରେ ଏହି ପ୍ରକଳ୍ପକୁ କରିବା ପାଇଁ ପର୍ଯ୍ୟଟନ ବିଭାଗ ଅଣ୍ଟାଭିଡିଛି । ଏଥିପାଇଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଲୋକସେବା ଭବନରେ । ବୈଠକ ପରେ ପର୍ଯ୍ୟଟନ ସଚିବ କହିଛନ୍ତି ଖୁବଶୀଘ୍ର ଏହି ପ୍ରକଳ୍ପ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ ।
ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟ ମଞ୍ଜୁର ହୋଇଛି । ପ୍ରକଳ୍ପରେ ହୋଟେଲ ସମେତ କଳା, ହସ୍ତତନ୍ତ ସଂଗ୍ରହାଳୟ ମଧ୍ୟ ହେବ । ଏହି ପ୍ରକଳ୍ପ ମାଧ୍ୟମରେ କେରଳ ଭଳି ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବଢାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ