ଭୁବନେଶ୍ବର: ମହିଳା ସ୍ବାଧୀନତା ସଂଗ୍ରାମୀ (women freedom fighter )ରମାଦେବୀ ଚୌଧୁରୀ (Ramadevi Choudhury)ଙ୍କ ଆଜି ୧୨୨ତମ ଜୟନ୍ତୀ । ଉତ୍କଳ ଗୌରବ ମଧୁସୁଦନ ଦାସ( Utkal Gaurab Madhusudan Das)ଙ୍କ ଝିଆରୀ ହେଉଛନ୍ତି ରମାଦେବୀ । ପ୍ରତିଟି ଓଡିଆ ତାଙ୍କୁ ମା ରମାଦାବୀ ବୋଲି ଜାଣନ୍ତି । ସେ କେବଳ ଓଡିଶାର ନୁହଁ ବରଂ ସମଗ୍ର ଦେଶର ଗର୍ବ ଓ ଗୌରବ । ଆଜିର ଦିନରେ ସେ କଟକ ସତ୍ୟଭାମାପୁର ଗ୍ରାମରେ ୧୮୯୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ମାତା ବସନ୍ତ କୁମାରୀ ଦେବୀ ଏବଂ ପିତା ଗୋପାଳ ବଲ୍ଲଭ ଦାସ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ । ୧୯୧୪ ମସିହା ଏପ୍ରିଲ ମାସରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଓକିଲ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ ।
ଦେଶର ସ୍ବାଧୀନତା ସଂଗ୍ରାମରେ ରମାଦେବୀଙ୍କ ଥିଲା ଉଲ୍ଲେଖନୀୟ ଭୂମିକା । ୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ ( Mahatma Gandhi)କଟକ କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ ଦୁଇଗୋଟି ସାଧାରଣ ସମାବେଶରେ ଯୋଗଦେଇ ହରିଜନ, ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ, ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ ଓ ଖଦୀବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ । ସେ ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ନେଇଥିଲେ ରମାଦେବୀ ।
ବଡ଼ବାପା ମଧୁସୂଦନ ଓ ଗାନ୍ଧିଜୀଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ଗଢ଼ିଥିଲେ "ବରି ଆଶ୍ରମ' । ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଲା । ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ କଟକ ଜେଲରେ ତାଙ୍କୁ ବନ୍ଦୀ କରିରଖିଥିଲେ । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ସମ୍ପୃକ୍ତି ହେତୁ ଇଂରେଜ ସରକାର ମା' ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଇଥିଲେ । ଶେଷରେ ରମାଦେବୀ ୧୯୮୫ ମସିହା ଜୁଲାଇ ୨୨ରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଅବଦାନ ପାଇଁ ତାଙ୍କ ନାମରେ ରାଜଧାନୀ ଭୁବନେଶ୍ୱରରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି ।