ଭୁବନେଶ୍ବର: ଆରମ୍ଭ ହେଲା ଅପରେସନ ଥାର୍ଡ ଆଇ । ରାଜଧାନୀରେ ଖୋଜା ପଡିଛନ୍ତି ଆତଙ୍କକାରୀ । ସ୍ପେଶାଲ ଅପରେସନ ଟାର୍ଗେଟରେ ରକ୍ତ ଚରିତ୍ର ଗ୍ୟାଙ୍ଗ । ଏଥିପାଇଁ ଭୁବନେଶ୍ଵର ଡିସିପି ଗଠନ କରିଥିବା ଟିମ ଏବେ ଖୋଜୁଛି ରାଜଧାନୀର ରାତିରେ ଆତଙ୍କ ଖେଳାଉଥିବା ଆତଙ୍କକାରୀଙ୍କୁ । କାରଣ ରକ୍ତଚରିତ୍ର ଗ୍ୟାଙ୍ଗ ପାଇଁ ଏବେ ବଦନାମ କମିସନରେଟ ପୋଲିସ । ଏମାନଙ୍କୁ କାବୁ କରିବା ପାଇଁ ଉପର ଅଫିସରଙ୍କ ପ୍ରେସର ପରେ କମିସନରଙ୍କ ସମେତ ଡିସିପିଙ୍କୁ ନେଇ ଆଲୋଚନା ହୋଇଛି ।
ତେବେ ତୁରନ୍ତ ଆତଙ୍କକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି । ଆଉ ଏଥିପାଇଁ ଦାୟିତ୍ବ ନେଇଛନ୍ତି ଜଣେ ଅଣ୍ଡରକଭର ଅଫିସର ଯିଏ ଏବେ ଥାର୍ଡ ଆଇ ନାଁରେ ହୋଇଛନ୍ତି ଅଣ୍ଡରକଭର । ଯାହାଙ୍କ ଅପରେସନ ନା ରହିଛି ‘ଅପରେସନ ଥାର୍ଡ ଆଇ’ । ଏନେଇ ରାଜଧାନୀରେ ବିଭିନ୍ନ ଖଟି ଉପରେ ରହିଛି ପୋଲିସର କଡା ନଜର । ଖଟିରେ ପୁର୍ବରୁ ଆତଙ୍କ ମଚାଇଥିବା ଅପରାଧିଙ୍କୁ ପାଇଲେ ପୋଲିସ ସେମାନଙ୍କୁ ଉଠାନେଉଛି ।
ତେବେ ଏଯାବତ ୧୦ଜଣଙ୍କୁ ପୋଲିସ ଉଠାଇ ନେଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଅପରେସନ ଥାର୍ଡ ଆଇକୁ ନେଇ ଏବେ ଅପରାଧିଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏବେ ସିଟି ବାହାରେ ଅର୍ଥାତ ଚନ୍ଦକା ଉପକଣ୍ଠ, ପଥର ଗାଡିଆ ପାଖାପାଖି କିଛି ପେସାଦାର ଅପରାଧିଙ୍କୁ ମଧ୍ୟ ଏକ ଟିମ ଉଠାଇନେଇଛି । ଅଣ୍ଡରକଭର ଅଫିସରଙ୍କ ଲିଷ୍ଟରେ ରହିଛନ୍ତି କିଛି ହାର୍ଡକୋର କ୍ରିମିନାଲ । ଯାହାଙ୍କ ନାଁରେ ଅନେକ ଅପରାଧିକ କାର୍ଯ୍ୟକଳାପ ଘଟାଇଛନ୍ତି । ଲିଷ୍ଟକୁ ଆଧାରକରି ପାଖାପାଖି ୨୩ଜଣକୁ ଖୋଜୁଛି ପୋଲିସ । ଏନେଇ ପୋଲିସ କିଛି ସିଧାସଳଖ ପ୍ରତିକ୍ରିୟା ଦେଇ ନଥିବା ବେଳେ ବେଆଇନ ବନ୍ଧୁକ ରଖିଥିବା କ୍ରିମିନାଲ ମଧ୍ୟ ହିଟ୍ ଲିଷ୍ଟରେ ଅଛନ୍ତି ।ଏପରିକି କିଛି ରାଜ୍ୟ ବାହାରକୁ ପଳାଇଥିବା ବେଳେ ଏକ ଟିମ ସେମାନଙ୍କୁ ଟ୍ରାକ କରି ରାଜ୍ୟ ବାହାରେ ୩ଟିମ ଡେରା ପକାଇଛି । ଏନେଇ ଏକକାଳିନ ଏକ ବଡ ପ୍ରେସ କନଫେରନସ ଜରିଆରେ ତଥ୍ୟ ଦେବାର ଯୋଜନା ଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ ଗତ ୨୭ ତାରିଖରେ ନିଜର ଭାବିସ୍ବାମୀଙ୍କ ସହ ଫେରୁଥିବା ଜଣେ ଯୁବତୀଙ୍କ ଗାଡି ଆଗକୁ ମଦ ବୋତଲ ଫିଙ୍ଗିଥିଲେ କିଛି ଅପରାଧୀ । ନିଶାରେ ଚୁର ଖଣ୍ଡା ଭୁଜାଲିଧାରୀ ଅପରାଧୀ ତାଙ୍କ ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଅସଦାଚରଣ କରିଥିଲେ। ଯେଉଁଥିପାଇଁ ସେ ପୋଲିସ ପିସିଆରକୁ କଲ ବି କରିଥିଲେ । ହେଲେ କେହି ଫୋନ ଉଠାଇନଥିଲେ । ଏନେଇ ମହିଳାଜଣଙ୍କ ଅଭିଯୋଗ କରିଥିଲେ । ଏହାପରେ ଅପରାଧିଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ରାଜଧାନୀର ଟ୍ରାଫିକ ପୋଷ୍ଟ ଉପରେ ୧୦ରୁ ଊର୍ଦ୍ଧ୍ବ ଅପରାଧି ଖୁଲମ ଖୁଲା ଖଣ୍ଡା ଭୁଜାଲି ପ୍ରଦର୍ଶନ, ଗାଳି ଗୁଲଜ ସହ ଗାଡିରେ ବୁଲି ସହରରେ ପଇଁତରା ମାରୁଥିଲେ । ରାଜଧାନୀରେ ଏପରି ଆତଙ୍କ ପରେ କମିଶନରେଟ ପୋଲିସର ପାରିବା ପଣିଆ ଉପରେ ଆଙ୍ଗୁଠି ଉଠିଥିଲା । ଏନେଇ ସମସ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ଏବେ ଅପରେସନ ଥାର୍ଡ ଆଇ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ