ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ତେବେ ବଙ୍ଗୋପସାଗରରେ ପୁଣି 2ଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶାରେ ୧୦ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ ।
ଆରବ ସାଗର ଓ ବଙ୍ଗୋପସାଗରରୁ ମୌସୁମୀ ବାୟୁ ପ୍ରବାହ ଯୋଗୁଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା 8 ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତା 11 ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ଏକ ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଶରତ ସାହୁ । ଏଥିଯୋଗୁଁ ରାଜ୍ୟରେ ୧୦ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ, କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ ଜୁନ ମାସରେ 40 ପ୍ରତିଶତ ନିଆଣ୍ଟିଆ ବର୍ଷାକୁ ଭରଣା କରିବ ଏହି 2 ଲଘୁଚାପ । ଏବେ ଓଡିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଏଥିଯୋଗୁଁ ବର୍ଷା ଲାଗି ରହିଛି । ଆସନ୍ତା 24 ଘଣ୍ଟା ପାଇଁ 11ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ । ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଇଟିଭି ଭାରତ, ଭୁବନେଶ୍ବର