ଭୁବନେଶ୍ବର: ରାଷ୍ଟ୍ରପତି ଭବନରେ ମହାତ୍ମାଗାନ୍ଧୀଙ୍କ 150 ତମ ଜୟନ୍ତୀ କମିଟିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇ ଅହିଂସା ନୀତି ଉପରେ ଆଲୋକପାତ କରିଥିଲେ । ଏଥିସହିତ 'ଅହିଂସା' ଶଦ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ପାଇବା ନେଇ ଗୁରୁତ୍ବାରୋପ କରିଥିଲେ । ଯଦି ଏହା ସ୍ଥାନ ପାଏ ତେବେ ଗାନ୍ଧିଜୀଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ, ମହାତ୍ମାଗାନ୍ଧୀଙ୍କ ଅହିଂସା ତତ୍ତ୍ବର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନୀତି ହେଉଛି ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ ହିଂସା । ଦାରିଦ୍ର୍ୟ ଥିବା ପର୍ଯ୍ୟନ୍ତ ସ୍ବାଧୀନତାର ମୂଲ୍ୟ ଅର୍ଥହୀନ । ଆଉ ବିନା ଅହିଂସାରେ ଗରିବୀ ଦୂର କରାଯାଇପାରିବ ନାହିଁ । ତେଣୁ ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତି ହାସଲ କରାଯାଇପାରିବ । ଏହାସହିତ ସମ୍ବିଧାନ ମୁଖବନ୍ଧରେ 'ଅହିଂସା' ଶଦ୍ଦକୁ ସ୍ଥାନ ପାଇବା କଥାକୁ ମଧ୍ୟ ଦୋହରାଇଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ