ଭୁବନେଶ୍ବର: ପ୍ରସିଦ୍ଧ ଲୋକଗୀତ ରଙ୍ଗବତୀ ବଦଳାଇ ଦେଇଛି ଗାଁର ନାଁ । ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଆଜି କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବରେ ବେଶ ପରିଚିତ, ଏବେ ସେଇ ଗୀତକୁ ନେଇ ଗାଁର ନାମକରଣ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଯେଉଁ ଗାଁ ଦିନେ ବିଲୁଙ୍ଗ ନାଁରେ ପରିଚିତ ଥିଲା ଏବେ ସେହି ଗାଁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ପରିଚିତ ହୋଇଛି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୀତିକାରଙ୍କୁ ଧନ୍ୟବାଦ ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି ।
ରଙ୍ଗବତୀ ଗୀତର ସ୍ରଷ୍ଟା ହେଉଛନ୍ତି ମିତ୍ରଭାନୁ ଗୌନ୍ତିଆ । ତାଙ୍କ ଗାଁ ସମ୍ବଲପୁରର ବାମରା ବ୍ଲକର ବିଲୁଙ୍ଗ । ରଙ୍ଗବତୀ ଭଳି ମିତ୍ରଭାନୁ ବି ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ତେଣୁ ଗାଁର ନାଁ ରଙ୍ଗବତୀ କରିବା ପାଇଁ ସ୍ଥାନୀୟ ଲୋକମାନେ ସରକାରଙ୍କ ନିକଟରେ ଦାବି କରିଥିଲେ । ବୁଧବାର ରାଜସ୍ବ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ