ଭୁବନେଶ୍ବର: ତନ୍ତ୍ରର ଦେବୀ ହେଉଛନ୍ତି ଯୋଗିନୀ । ଯୋଗିନୀଗଣ ପରମ ସୁନ୍ଦରୀ ଓ ରଣଚଣ୍ଡୀ ରୂପରେ ପୂଜିତା । ଚଉଷଠି ଯୋଗିନୀ ଓ ନବକୋଟୀ କାତ୍ୟାୟନୀ ଦେବୀ କାଳୀଙ୍କର ସହଚରୀ ତଥା ଅବତାର ଧାରିଣୀ ଦେବୀଗଣ । ଓଡିଶାରେ ଯୋଗିନୀ ସାଧନା ନିମନ୍ତେ ଦୁଇଗୋଟି ପୀଠ ପ୍ରସିଦ୍ଧ । ଗୋଟିଏ ଭୁବନେଶ୍ବର ନିକଟସ୍ଥ ହୀରାପୁରରେ ଅବସ୍ଥିତ । ଭୌମକର ବଂଶର ରାଜା ଶାନ୍ତିକର ଦେବଙ୍କ ଦ୍ବିତୀୟ ରାଣୀ ହୀରାଦେବୀ ଭୁବନଶ୍ବର ସନ୍ନିକଟ ଭାର୍ଗବୀ ନଦୀର ଦକ୍ଷିଣ କୂଳରେ ହୀରାପୁର ଶାସନ ସ୍ଥାପନ କରିଥିଲେ । ସେଠାରେ ଯୋଗିନୀ ଉପାସନ ନିମନ୍ତେ ଚଉଷଠି ଯୋଗିନୀ ମନ୍ଦିର ନିର୍ମାଣ କରିଥିଲେ । ଏହି ତନ୍ତ୍ର ପୂଜାର ଦେଉଳରେ ଶାରଦୀୟ ନବଦିନାତ୍ମକ ପୂଜା ସ୍ବତନ୍ତ୍ର ।
ତ୍ରିପୁରା ସୁନ୍ଦରୀ ମା ଚଉଷଠି ଯୋଗିନୀ । ଶାରଦୀୟ ଦୁର୍ଗାପୂଜା ଉତ୍ସବ ରେ ସାରା ରାଜ୍ୟରେ ଥିବା ଶକ୍ତି ପୀଠ ଗୁଡିକ ଉତ୍ସବମୁଖର ହୋଇଉଠିଛି । ଏହି ଅବସରରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ନିକଟସ୍ଥ ଚଉଷଠି ଯୋଗିନୀ ପୀଠରେ ବାସନ୍ତି ପୂଜା ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ।ନବରାତ୍ରୀ ପୂଜା ରେ ମାର ୯ ଟି ବେଶ କରାଯାଏ। ନବଦୁର୍ଗା ରୂପରେ ଶୈଳିପୁତ୍ରୀ, ଚନ୍ଦ୍ରାଘଣ୍ଟା, କାଳରାତ୍ରୀ,କାତ୍ୟାୟନୀ, ମହାଗୌରୀ, କୁସମାଣ୍ଡ ନାମରେ ବେଶ କରାଯାଏ । ତ୍ରିପୁରା ସୁନ୍ଦରୀ ବେଶ ମା' ର ଖୁବ ସୁନ୍ଦର ବେଶ । ଦୁଇ ପ୍ରହରେ ଅନ୍ନ ପ୍ରସାଦ, ସଂଧ୍ୟାରେ ପିଠା, ଖେଚୁଡ଼ି, ମିଠା ଖିରି ଭୋଗ ଲାଗେ । ସପ୍ତମୀ, ଅଷ୍ଟମୀ ଓ ନବମୀରେ ଚଣ୍ଡୀପାଠ ହୁଏ।
ଯୋଗିନୀମାନଙ୍କ ମୂର୍ତ୍ତି ସାଧାରଣତଃ ଏକ ଉଲଙ୍ଗ ନାରୀ ମୂର୍ତ୍ତୀ ଯାହା ପଶୁ, ମଣିଷ କିମ୍ବା ଅସୁର ଉପରେ ବିଜେ କରିଥିବାର ଦେଖିବାକୁ ମିଳିଥାଏ ଓ ନାରୀ ଶକ୍ତିକୁ ସୂଚାଇଥାଏ । ମୂର୍ତ୍ତିସବୁ ରାଗ, ଅନୁରାଗ, ସୁଖ, ଦୁଃଖକୁ ପ୍ରକାଶ କରିଥାନ୍ତି । ଏହି ତନ୍ତ୍ର ପୀଠରେ ମା ପାର୍ବତୀଙ୍କର ଅଂଶ ଯୋଗିନୀ ଗଣ ୬୪ ଟି ରୂପ, ନାମ, ୬୪ଟି ବାହନରେ ୬୪ ପ୍ରକାର କେଶ ବିନ୍ୟାସରେ ବିରାଜିତା । ଦୁର୍ଗାପୂଜାରେ ମା ଙ୍କର ୧୬ ଦିନ ପୂଜା ହୁଏ । ଦେବୀଙ୍କର ଷୋଡଶ ଉପଚାରରେ ରକ୍ତମୁଖା ପୂଜା ହୁଏ। ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିଶେଷକରି ଚଣ୍ଡୀପୁଜା ହୁଏ । ମହାଷ୍ଟମୀ ରାତିରେ ପୋଡା ମାଛ ବଳି ଦିଆଯାଏ । ହାମୟୀ ଦୁର୍ଗାଙ୍କର ଦ୍ଵିତୀୟା ଠାରୁ ଷୋଡଶ ପୂଜା ଆରମ୍ଭ ହୁଏ । ରକ୍ତବୀର୍ଯ୍ୟ ଅସୁରକୁ ମା ଦୁର୍ଗା ବଧ କଲାପରେ ପ୍ରତି ରକ୍ତ ବିନ୍ଦୁରୁ ଅସୁର ସୃଷ୍ଟି ହେଉଥିଲେ,ସେଥିପାଇଁ ଦୁର୍ଗତିନାସିନୀ ମା ଦୁର୍ଗାଙ୍କ ୬୪ ରୂପ ହେବାକୁ ପଡିଲା।
ଅଷ୍ଟମ ଓ ନବମ ଶତାବ୍ଦୀରେ ବହୁ ତନ୍ତ୍ର ସାଧକ ଓ ଭୈରବ ଏହି ପୀଠକୁ ଯୋଗିନୀ ସାଧନା ନିମନ୍ତେ ଆସିଛନ୍ତି । ଯୋଗିନୀ ମାନଙ୍କୁ ବଳିଭୂଜା ଅର୍ପଣ ଓ ମନ୍ତ୍ର ଦ୍ବାରା ସନ୍ତୁଷ୍ଟ କରି ସିଦ୍ଧିପ୍ରାପ୍ତ କରାଯାଇଥାଏ । ଏଠାର ନିଜକୁ ସାଧକ ବୋଧ କରି ସାଧନା କଲେ ଓ ନିଷ୍ଠା ରଖି ମାଙ୍କ ଆରାଧନା କଲେ ଯୋଗିନା ସକଳ ଦୁଖଃ, କ୍ଲେଷ, ଦୂରିତ ହୋଇଥାଏ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ