ଭୁବନେଶ୍ବର: ଅଧା ବାଟରେ ଅଟକିଲା ପ୍ରେମ,ଅପହରଣ ନାଟକ ହେଲା କାଳ । ସ୍ବିଗି ବଏର ଅପହରଣ ନାଟକ ପର୍ଦ୍ଦାଫାସ କରିଛି ପୋଲିସ । ସ୍ତ୍ରୀର ସାଙ୍ଗ ସହ ଫେରାର ହୋଇ ନିଜେ ରଚିଥିଲା ନିଜ ଅପହରଣର ନାଟକ । ତେବେ ମଧ୍ୟପ୍ରଦେଶରୁ ଉକ୍ତ ସ୍ବିଗି ବୟକୁ ପୋଲିସ ଠାବ କରିବା ପରେ ଏପରି ନୁଆ ଟ୍ବିଷ୍ଟ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ରେଲଓ୍ଵେ ପୋଲିସ ସହାୟତାରେ ଅଟକ ରଖି ଉଭୟ ସ୍ବିଗି ବଏ ଓ ଯୁବତୀଙ୍କୁ ଓଡିଶା ଆଣୁଛି କମିଶନରେଟ ପୋଲିସ ।
ସମ୍ପୃକ୍ତ ସ୍ବିଗି ବଏ ନିଜ ପତ୍ନୀଙ୍କୁ ଏକ ଭଏସ ମେସେଜ ଦେଇଥିଲେ। ତାଙ୍କୁ ଧଉଳି ଥାନା ଅଧୀନ ଦୟା ନଦୀ କଡରୁ ଛୁରୀ ଦେଖାଇ ଭୟଭୀତ କରାଇ ଟ୍ରାକ୍ଟରରେ ଅପହରଣ କରାଯାଇଥିବା ଶନିବାର ନିଜ ସ୍ତ୍ରୀଙ୍କୁ ମେସେଜ କରିଥିଲେ ସମ୍ପୃକ୍ତ ସ୍ବିଗି ବଏ । ମେସେଜ ପାଇବା ପରେ ଧଉଳି ଥାନାରେ ଅଭିଯୋଗ କରିଥିଲେ ପତ୍ନୀ। ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲେ ପୋଲିସ ।
ଅନ୍ୟପଟେ ସ୍ବିଗି ବଏଙ୍କୁ ତାଙ୍କ ପତ୍ନୀଙ୍କ ସାଙ୍ଗ ଅପହରଣ କରି ନେଇଥିବା ସନ୍ଦେହ କରିଥିଲେ ସ୍ବିଗିବୟଙ୍କ ଭାଇ । ତେବେ ଏହି ସ୍ବିଗି ବଏଙ୍କୁ ପୋଲିସ ମଧ୍ୟପ୍ରଦେଶରୁ ଠାବ କରିବା ପରେ ଘଟଣା ସମ୍ପୂର୍ଣ୍ଣ ଭିନ୍ନ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଉକ୍ତ ଯୁବକଙ୍କୁ କେହି ଅପହରଣ ନୁହେଁ ବରଂ ସେ ନିଜେ ଏପରି ଷଡଯନ୍ତ୍ରର ମୁଖ୍ୟ ମାଷ୍ଟରମାଇଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ପୋଲିସ କହିଛି । ଏନେଇ ତଦନ୍ତ ଜାରି ରହିଛି । ପଚରାଉଚରା ପରେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ