ଭୁବନେଶ୍ବର: 1971 ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭକୁ ପୁରୁଛି 50 ବର୍ଷ । 50 ବର୍ଷ ପୂର୍ତ୍ତି ପାଳନ ପାଇଁ 2021 ବର୍ଷକୁ "ସ୍ୱର୍ଣ୍ଣିମ ବିଜୟ ବର୍ଷ' ରୂପେ ପାଳନ କରାଯାଉଛି । 2020 ମସିହା ଡିସେମ୍ବର 16 ତାରିଖରୁ ନୂଆଦିଲ୍ଲୀର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରୁ "ଅମର ଯବାନ ଜ୍ୟୋତି'ର ଚାରିଗୋଟି ସ୍ୱର୍ଣ୍ଣିମ ବିଜୟ ମଶାଲ ଯାତ୍ରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ ହୋଇଥିଲା । ଭାରତ ବର୍ଷର ବିଜୟ ଏବଂ ସଶସ୍ତ୍ର ବାହିନୀର ବଳିଦାନ ସନ୍ଦେଶକୁ ସମଗ୍ର ଦେଶବାସୀଙ୍କ ନିକଟରେ ପହଁଚାଇବା ପଇଁ ଦେଶର ଚାରିଗୋଟି ଦିଗକୁ ଏହି ଜ୍ୟୋତି ପ୍ରେରଣ କରାଯାଇଛି । ଏହି କ୍ରମରେ ଅକ୍ଟୋବର 20 ରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣାଞ୍ଚଳ ଜ୍ୟୋତି ଯାତ୍ରା ପରିକ୍ରମା କରିବ ।
1971 ମସିହା ଡିସେମ୍ବର ମାସରେ ଭାରତୀୟ ସଶସ୍ତ୍ର ସେନା ବାହିନୀ ପାକିସ୍ତାନକୁ ପରାହତ କରିବା ସହିତ 9300 ପାକିସ୍ତାନୀ ବନ୍ଦୀଙ୍କୁ ନିଜ ଅଧିନକୁ ଆଣି, ବାଲାଂଦେଶର 75 ଲକ୍ଷ ଜନସାଧାରଣଙ୍କୁ ସ୍ୱାଧୀନତା ପ୍ରଦାନ କରିଥିଲେ । ଫଳରେ ପାକିସ୍ଥାନ ଏହାର ଅଧା ଦେଶ ଏବଂ ତଥାକଥିତ ପୂର୍ବ ପାକିସ୍ଥାନରେ ଥିବା ତାହାର ସମସ୍ତ ସୈନ୍ୟଙ୍କୁ ହରାଇବା ସହିତ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲା । ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ବଡ଼ ସେନା ଆତ୍ମସମର୍ପଣ ଥିଲା ବୋଲି ବିବେଚନା କରାଯାଉଛି । ଭାରତର 11 ଟି ଏୟାର୍ବେସ୍ ଉପରେ ପାକିସ୍ଥାନର ଆକ୍ରମଣ ପରେ ଯୁଦ୍ଧ ଆରମ୍ଭ ହୋଇଥିଲା । ପଶ୍ଚିମ ପଟରେ ପାକିସ୍ଥାନ ସେନାର ଗତିବିଧି ଉପରେ ଭାରତ ତୁରନ୍ତ ଜବାବ ଦେଇ, ପାକିସ୍ଥାନର ପ୍ରାୟ 15010 ବର୍ଗ କି.ମି. ଅଂଚଳକୁ ନିଜ ଅକ୍ତିଆରକୁ ଆଣିଥିଲା । ପାକିସ୍ଥାନ ସେନାର ପ୍ରମୁଖ ସେନାମୂଖ୍ୟ ଜେନେରାଲ୍ ଅମିର୍ ଅବ୍ଦୁଲ୍ଲା ଖାନ୍ ନିୟାଜୀ ତାଙ୍କର 93000 ସୈନିକଙ୍କ ସହିତ ଭାରତର ସୈନ୍ୟ ବାହିନୀ ଏବଂ ବାଂଲାଦେଶ ମୁକ୍ତି ବାହିନୀ ନିକଟରେ ଆତ୍ମସମର୍ପଣ କରିବା ପରେ ଯୁଦ୍ଧ ପରିସମାପ୍ତି ଘଟିଥିଲା ।ଏହି ସଂଘର୍ଷ ବାଂଲାଦେଶ ମୁକ୍ତି ଯୁଦ୍ଧର ଏକ ପରିଣାମ ଥିଲା, ଯେତେବେଳେ ବାଂଲାଦେଶ (ତତ୍କାଳୀନ ପୂର୍ବ ପାକିସ୍ତାନ), ପାକିସ୍ତାନ(ପଶ୍ଚିମ ପାକିସ୍ତାନ) ଠାରୁ ମୁକ୍ତି ପାଇଁ ସଂଘର୍ଷ କରୁଥିଲା ।
1971 ରେ ପାକିସ୍ତାନ ସେନା ନିରୀହ ବଙ୍ଗାଳି, ବିଶେଷ କରି ପୂର୍ବ ପାକିସ୍ତାନରେ ଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ନୃଶଂସ ଭାବରେ ନରସଂହାର କରିବା ଆରମ୍ଭ କରିଥିଲା । ଏହା ଅନୁମାନ କରାଯାଉଛି ଯେ, ବାଂଲାଦେଶରେ ପ୍ରାୟ 30 ଲକ୍ଷ ନାଗରିକ ମୃତ୍ୟୁବରଣ କରିଥିଲେ । ଏହାପରେ ଯାବତୀୟ ନିର୍ଯ୍ୟାତନାରେ ଅତିଷ୍ଠ 8 ରୁ 10 ଲକ୍ଷ ଲୋକ ଭାରତର ଶରଣ ନେବା ପାଇଁ ଆସିଥିଲେ ।
କ୍ରମଶଃ ପାକିସ୍ଥାନର ଅତ୍ୟାଚାର ବୃଦ୍ଧି ପାଇବାରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି ସମୟରେ ଭାରତ ସୀମା ବାହାରେ ଥିବା ନାଗରିକମାନଙ୍କୁ ଭାରତରେ ଶରଣ ଦେଇଥିଲେ । ଭାରତ ଏକ ଶାନ୍ତିପୂର୍ଣ୍ଣ ଦେଶ ହୋଇଥିବାରୁ, ପାକିସ୍ଥାନ ବିରୁଦ୍ଧରେ ପୂର୍ଣ୍ଣମାତ୍ରାରେ ଯୁଦ୍ଧ କରିବାକୁ ଅନିଚ୍ଛୁକ ଥିଲା । ଏଣୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱ ନେତୃତ୍ୱ ସମୁଦାୟଙ୍କୁ ଏଥିରେ ହସ୍ତକ୍ଷେପ କରି ପାକିସ୍ଥାନର କ୍ରୁରତାକୁ ରୋକିବା ଉପରେ ଚାପ ପ୍ରୟୋଗ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ, ଭାରତ ପକ୍ଷରେ ଏଥିପାଇଁ ଅଧିକ ସମୟ ନଥିଲା । ତେଣୁ ଏ ଦିଗରେ ଏକ ତ୍ୱରିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିଲା । ଭାରତର ପ୍ରଧାନମନ୍ତ୍ରୀ ନିଜର ସେନା ମୁଖ୍ୟ ଜେନେରାଲ ସାମ୍ ମାନେକସାଙ୍କୁ ପାକିସ୍ତାନ ବିରୁଦ୍ଧରେ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିବା ପାଇଁ ଆଦେଶ ଦେଇଥିଲେ । ଯାହା ଫଳରେ ଭାରତ ନିଜର ପଡ଼ୋଶୀ ପାକିସ୍ଥାନ ବିରୁଦ୍ଧରେ ପୂର୍ଣ୍ଣମାତ୍ରାରେ ଯୁଦ୍ଧ କରିଥିଲା । ଡିସେମ୍ବର 3 ତାରିଖରେ ଭାରତର ପଶ୍ଚିମ କ୍ଷେତ୍ରରେ ଥିବା କେତେକ ସ୍ଥାନ ଉପରେ ପାକିସ୍ଥାନ ଦ୍ୱାରା ଆକାଶ ମାର୍ଗରୁ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣର ଉଚିତ ଜବାବ ଦେବା ପାଇଁ ଭାରତ ବାଧ୍ୟ ହୋଇଥିଲା ।
ଆକାଶ, ସମୁଦ୍ର ଓ ସ୍ଥଳ ଭାଗରେ ଭାରତୀୟ ସେନା ଯୁଦ୍ଧରେ ଏହାର ପ୍ରଭୁତ୍ବ ଜାହିର କରିଥିଲା । ସ୍ଥଳ ଭାଗରେ ଭାରତୀୟ ସେନା ପାକିସ୍ଥାନୀ ସେନାର ବିଶେଷ କ୍ଷତି ଘଟାଇଥିଲା । ଭାରତୀୟ ବାୟୁ ସେନାର ଏକ ପ୍ରମୁଖ ଆକ୍ରମଣରେ ପାକିସ୍ଥାନର ମୁରିଦ୍ ବେସ୍ର ଅନେକ ଯୁଦ୍ଧ ବିମାନ ନଷ୍ଟ ହୋଇଥିଲା ଏବଂ ପାକିସ୍ଥାନ ଏଥିରେ 75 ଟି ବିମାନ ହରାଇଥିଲା । ରାଜସ୍ଥାନର ସୀମାରେ ଥିବା ଲୋଙ୍ଗେୱାଲାର ପ୍ରସିଦ୍ଧ ଯୁଦ୍ଧରେ ଭାରତୀୟ ସେନା ପାକିସ୍ଥାନର ପ୍ରମୁଖ ଟ୍ୟାଙ୍କ୍ ଆକ୍ରମଣକୁ ବିଫଳ କରିଦେଇଥିଲେ । ପାକିସ୍ଥାନ 34 ଟି ଟ୍ୟାଙ୍କ୍ ଏବଂ ପ୍ରାୟ 200 ସେନାଙ୍କୁ ହରାଇଥିଲା । 1971 ମସିହା ଡିସେମ୍ବର 3 ତାରିଖରୁ 16 ତାରିଖ ଅର୍ଥାତ ଢାକାର ପତନ ପର୍ଯ୍ୟନ୍ତ ଭାରତ ଓ ପାକିସ୍ଥାନ ସେନା ମଧ୍ୟରେ ମୁକାବିଲା ହୋଇଥିଲା । ଏହି ଯୁଦ୍ଧ ମାତ୍ର 13 ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହା ଇତିହାସର କ୍ଷୁଦ୍ର ଯୁଦ୍ଧ ମଧ୍ୟରେ ଅନ୍ୟତମ । ପୂର୍ବ ପାକିସ୍ତାନର ବଙ୍ଗାଳୀଙ୍କ ବିରୁଦ୍ଧରେ କରାଯାଇଥିବା ନରସଂହାରକୁ ସମାପ୍ତ କରିବା ପାଇଁ ଏହି ଯୁଦ୍ଧରେ ଉଭୟ ଭାରତ ଓ ପାକିସ୍ଥାନର 3800ରୁ ଉର୍ଦ୍ଧ୍ୱ ସୈନ୍ୟ ପ୍ରାଣ ହରାଇଥିଲେ । ଜେନାରାଲ୍ ଏ. ଏ. କେ, ନିୟାଜୀ 16 ଡିସେମ୍ବର 1971 ରେ ଢାକାରେ ସମର୍ପଣ ଦଲିଲରେ ସ୍ୱାକ୍ଷର କରିଥିଲେ । ଯାହାଫଳରେ ପୂର୍ବ ପାକିସ୍ଥାନ ବାଂଲାଦେଶ ନାମରେ ଏକ ନୂତନ ରାଷ୍ଟ୍ର ଭାବରେ ଗଠିତ ହେଲା ।
ବାଲାଂଦେଶର ଜନ୍ମ ସହିତ ପାକିସ୍ଥାନ ମଧ୍ୟ ନିଜର ଅଧା ଅଞ୍ଚଳ ହରାଇଲା । ଭାରତୀୟ ସଂସଦ ନବଗଠିତ ବାଲାଂଦେଶ ସରକାରକୁ ମାନ୍ୟତା ପ୍ରଦାନ କରିଥିଲା । ଏକ ମହାନ ଓ ବିନମ୍ର ରାଷ୍ଟ୍ର୍ର ଭାବେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ ସ୍ୱରୂପ 2 ଅଗଷ୍ଟ 1972 ରେ ଭାରତ ଏବଂ ପାକିସ୍ଥାନ ମିଳିତ ଭାବେ ସିମଳା ରାଜିନାମା ସ୍ୱାକ୍ଷର କରିଥିଲେ । ଏହା ଅନୁଯାୟୀ 93 ହଜାର ପାକିସ୍ତାନୀ ଯୁଦ୍ଧ ବନ୍ଦୀଙ୍କୁ ଭାରତ ମୁକ୍ତ କରିବା ଏବଂ ବିଜୟ ଲାଭ କରିଥିବା ସମସ୍ତ ପାକିସ୍ଥାନୀ ଅଞ୍ଚଳକୁ ପ୍ରତ୍ୟାର୍ପଣ କରିବା ପାଇଁ ଏହି ରାଜିନାମା ଅନୁଯାୟୀ ଭାରତ ସହମତି ପ୍ରଦାନ କରିଥିଲା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ