ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ବାତିଲ ହେବା ପରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀଙ୍କ ଦାବି । ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଜୁନ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ।
ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ମାଟ୍ରିକ ପରୀକ୍ଷା ବାତିଲ ହେବା ପରେ ଯୁକ୍ତ ଦୁଇ ପରୀକ୍ଷାକୁ ବନ୍ଦ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଦଶମ ପିଲାଙ୍କ ପରୀକ୍ଷା ବାତିଲ କରାଯାଇଛି ମାନେ ଆମ ପରୀକ୍ଷା ବି ବାତିଲ କରାଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ ।
ଜୁନ ମାସ ପର୍ଯ୍ୟନ୍ତ ପିଲାମାନେ ପାଠ ପଢନ୍ତୁ । ଜୁନ ପ୍ରଥମ ସପ୍ତାହରେ ସ୍ଥିତି ସମୀକ୍ଷା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ମାଟ୍ରିକ ପରୀକ୍ଷା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ସାରିଥିଲା। କୋଭିଡ ସ୍ଥିତି ଦେଖି ମାଟ୍ରିକ ପରୀକ୍ଷା ବନ୍ଦ କରିବାକୁ ବାଧ୍ୟ ହେଲୁ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ । ଯୁକ୍ତ ଦୁଇ ପିଲାଙ୍କ ପାଖରେ ଯଥେଷ୍ଟ ସମୟ ଅଛି । ସେମାନେ ଆରାମରେ ପାଠ ପଢନ୍ତୁ । ଜୁନ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ।
ପ୍ରକାଶ ଥାଉ କି, ଏପ୍ରିଲ 20 ତାରିଖରେ ମାଟ୍ରିକ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀ ନବୀନ ନିବାସ ଘେରାଉ କରିଥିଲେ । CBSE ଏବଂ ICSE ପରୀକ୍ଷା ବାତିଲ ହୋଇଥିବାବେଳେ ରାଜ୍ୟ ସରକାର କାହିଁକି କରୁନାହାଁନ୍ତି ବୋଲି ଦାବି କରିଥିଲେ ଛାତ୍ର ଛାତ୍ରୀ । ମାଟ୍ରିକ ପରେ ବର୍ତ୍ତମାନ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ