ଭୁବନେଶ୍ବର: ଖୋର୍ଦ୍ଧାରେ ଜମୁଛି ବ୍ରାଉନସୁଗାର କାରବାର । ଏଥର ପୋଲିସ ହାତରେ ଧରାପଡିଛି ବିଟେକ ଗ୍ରାଜୁଏଟ । ବେକାର ଥିବା ଯୁବକ ଜଣକ ଟଙ୍କା ଲୋଭରେ ପଡି ଆପଣାଇଥିଲା ଏଭଳି କାରବାର। ଏହି ଘଟଣାରେ ପୋଲିସ ଉକ୍ତ ବିଟେକ ଗ୍ରାଜୁଏଟଙ୍କୁ ଗିରଫ କରି ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାରକୁ କରିଛି ଜବତ ।
ଗିରଫ ହୋଇଥିବା ବିଟେକ ଗ୍ରାଜୁଏଟ ହେଉଛନ୍ତି ମନୋରଞ୍ଜନ ଦାସ । କୋଟିପତି ହେବାର ସ୍ବପ୍ନ ନେଇ ଯୁବକ ଜଣକ ବ୍ରାଉନସୁଗାର ବିକ୍ରି କରୁଥିଲେ । ଚାଲାକି ଢଙ୍ଗରେ ପୋଲିସକୁ ଚକମା ଦେଖାଇ ଗାଡିର ସିଟ ତଳେ ଲୁଚାଇ ରଖୁଥିଲା ବ୍ରାଉନସୁଗାର। ଖୋର୍ଦ୍ଧା କୁମବସ୍ତ ପେଟ୍ରୋଲ ପମ୍ପ କଡରେ ବ୍ରାଉନସୁଗାର ଡିଲ କରୁଥିବା ବେଳେ ବେପାରୀ ବେଶରେ ପହଞ୍ଚି STF କାବୁ କରିଥିଲା ଯୁବକଙ୍କୁ ।
ଯୁବକଙ୍କ ନିକଟରୁ ୧କେଜି ୩୪ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ । ଯାହାର ଆନୁମାନିକ ମୂଲ୍ୟ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କା ବୋଲି ଜଣାପଡିଛି । ତେବେ ଏସଟିଏଫ ୨୦୨୦ରୁ ଏଯାବତ ୩୯ କେଜି ବ୍ରାଉନସୁଗାର ସହ ୮୬ କ୍ଵିଣ୍ଟାଲ ୮୧କେଜି ଗଞ୍ଜେଇ ଜବତ କରିଛି । ଏହାସହିତ ୧୦୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ