ଭୁବନେଶ୍ବର: ବିହାରରେ ମାଗଣା କୋରୋନା ଟୀକା ଦେବା ପାଇଁ ବିଜେପି ଘୋଷଣା କରିବା ପରେ ଏହାକୁ ନେଇ ପୁରା ଦେଶରେ ରାଜନୀତି ସରଗରମ ହୋଇଛି । ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଥିବା ବେଳେ ଭୋଟ ପାଇଁ ବିଜେପି ଟୀକା ଦେବା ଫଣ୍ଡାକୁ ନେଇ ରାଜ୍ୟ ରାଜନୀତିରେ ବି ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସ ଏପ୍ରସଙ୍ଗରେ ବିଜେପିକୁ କଡ଼ା ସମାଲୋଚନା କରିଥିବା ବେଳେ ବିଜେଡ଼ି କହିଛି, ସବୁ ରାଜ୍ୟପାଇଁ ସମାନ ନୀତି ହେବା ଆବଶ୍ୟକ ।
ସବୁଆଡୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ହେବା ପରେ ବିଜେପି ଏନେଇ ମାପିଚୁପି ବୟାନ ଦେବା ସହ ଅର୍ଥକୁ ଅନର୍ଥ କରାଯାଇଛି ବୋଲି ଦଳ କହିଛି । ଟୀକାକୁ ନେଇ ମୁହାମୁହିଁ ହେଲେ କଂଗ୍ରେସ, ବିଜେପି । ସେପଟେ ବିଜେଡ଼ି କହିଲା ସବୁ ରାଜ୍ୟପାଇଁ ହେଉ ସମାନ ନୀତି । ବିହାରରେ ଏନଡ଼ିଏ ସରକାର ଗଠନ କଲେ ସମସ୍ତଙ୍କୁ ମାଗଣାରେ କୋରୋନା ଟୀକା ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ବାଚନୀ ଇସ୍ତହାର ପତ୍ରରେ ଘୋଷଣା କରାଯାଇଥିଲା ।
ଏହି ଘୋଷଣା ପରେ ଜୋରଧରିଛି ରାଜନୀତି । ବିହାରର ଏହି ନିର୍ବାଚନୀ ଘୋଷଣା ଓଡ଼ିଶା ରାଜନୀତିକୁ ସରଗମର କରିଛି । କୋରୋନା ଟୀକାର ରାଜନୀତିକରଣକୁ ନେଇ ବିଜେପି ଉପରେ ବିର୍ଷିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଭାରତବର୍ଷରେ କଣ ବିହାର ଗୋଟିଏ ରାଜ୍ୟ ବୋଲି ସେ ପ୍ରଶ୍ନ କରିବା ସହ ବିଜେପି ଏପରି କରୋନା ଟିକା ଓ ଭୋଟ ରାଜନୀତି ଆଭିମୁଖ୍ୟକୁ ସମାଲୋଚନା କରିଛି କଂଗ୍ରେସ । ସେପଟେ କଂଗ୍ରେସକୁ ପାଲଟା ଜବାବ ଦେଇଛି ବିଜେପି । ଦଳ କହିଛି ଯେ, କଂଗ୍ରେସ ନେତା ଅର୍ଥକୁ ଅନର୍ଥ କରୁଛନ୍ତି ।
ସେପପଟେ ଏପ୍ରସଙ୍ଗରେ ଶାସନ ଦଳର ଯୁକ୍ତି ହେଉଛି ଯେ, ମହାମାରୀ କୋରୋନା ପୁରା ବିଶ୍ବକୁ ଗ୍ରାସ କରିଛି । ଆମ ଦେଶ ମଧ୍ୟ ଏଥିରୁ ବର୍ତ୍ତି ପାରିନାହିଁ । ତେଣୁ ଟୀକା ବଣ୍ଟନ ସମୟରେ ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବା ଆବଶକ୍ୟ ।
ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ