ଭୁବନେଶ୍ବର: ଓଡିଶାରେ ଧାନ କିଣାବିକା ସମୟରେ ଲକ୍ଷଲକ୍ଷ ଚାଷୀ ଲୁଟର ଶୀକାର ହେଉଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ପ୍ରତି ଦରଦ କି ସମ୍ବେଦନ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ଓଡିଶାର ଚାଷୀମାନେ ତାହାର ଜବାବ ବିଜେଡ଼ିକୁ ଦିଅନ୍ତୁ ବୋଲି ଆହ୍ୱାନ କରିଛି ବିଜେପି । ବିଜେଡ଼ି ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମସଗୁଲ ଅଛି । କିନ୍ତୁ ଚାଷୀ କେମିତି ଧାନ ବିକିବେ ତା’ ଉପରେ ଗୁରୁତ୍ୱ ଦେଉନାହାନ୍ତି ।
ପୂର୍ବରୁ ବିଭାଗୀୟ ମନ୍ତ୍ରୀ କହିଥିଲେ, ଏମଏସପିରୁ ଟଙ୍କାଟିଏ ବି କମ୍ ଦରରେ ମିଲର ମାନେ ଧାନ କିଣି ପାରିବେ ନାହିଁ । କିନ୍ତୁ, ମିଲର ମାନେ 15ରୁ 20 କେଜି ଯାଏଁ କଟନୀ ଛଟନୀ କରୁଛନ୍ତି, ଏହା ଦୁର୍ଭାଗ୍ୟଜନକ । 22 ବର୍ଷର ଶାସନ ଭିତରେ ଚାଷୀଙ୍କ ଧାନ ମଣ୍ଡିରେ ସୁରକ୍ଷିତ ରଖିବା ପାଇଁ ପିଣ୍ଡି ତିଆରି କରିନାହାନ୍ତି ରାଜ୍ୟ ସରକାର । ଏଥର ଖରିଫ ୠତୁରେ 60 ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । କଟନୀ ଛଟନୀ କରି 500 କୋଟି ଟଙ୍କା ଲୁଟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହି ଟଙ୍କା ବିଜେଡ଼ିର ନିର୍ବାଚନୀ ପାଣ୍ଠିକୁ ଯିବ ବୋଲି ଅଭିଯୋଗ କରିଛି ବିଜେପି । ବିଜୁ ଜନତା ଦଳ ଚାଷୀଙ୍କ ବଳ ନାଁ ଚାଷୀଙ୍କ ପାଇଁ କାଳ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପୁରୋହିତ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ