ଭୁବନେଶ୍ବର: ରାଜ୍ୟରେ କୋରୋନା ପରିଚାଳନା କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 5ଟି ଜିଲ୍ଲାରେ କୋଭିଡ ସାଧାରଣ ବେଡ଼, ଆଇଆସିୟୁ ଓ ଏଚଡିୟୁ ସଂଖ୍ୟାକୁ ବୃଦ୍ଧି କରିଛନ୍ତି ।
ଖୋର୍ଦ୍ଧାରେ ଥିବା ସମ ହସ୍ପିଟାଲରେ 179ଟି ଆଇସିୟୁ ଶଯ୍ୟା ରହିଥିବାବେଳେ ଏଠାରେ ଆଉ 40ଟି ବେଡ଼ ସାମିଲ କରାଯିବ । ମୋଟାମୋଟି ଭାବେ ଏଠାରେ 219ଟି ଆଇଆସିୟୁ ବେଡ଼ ରହିବ । ତେବେ ଏହା MCL ଦ୍ୱାରା ପରିଚାଳିତ ହେବ। ସଞ୍ଜୀବନୀ ମେଡିକେୟାର ହସ୍ପିଟାଲରେ ସାଧାରଣ ଶଯ୍ୟା 43, ଆଇସିୟୁ 24, ଏଚଡିୟୁ 33 ରହିବ । ଏହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ କରାଯିବ । ସେହିପରି କିମ୍ସ ହସ୍ପିଟାଲରେ ସାଧାରଣ ଶଯ୍ୟା 150, ଆଇସିୟୁ 25 ଓ 25ଟି ଏଚଡିୟୁ ଶଯ୍ୟା ବଢ଼ାଯିବ । OMC ଏହି ବ୍ୟୟ ଭରଣ କରିବ ।
ସେହିପରି ସୁନ୍ଦରଗଡ ଜୟପ୍ରକାଶ ହସ୍ପିଟାଲରେ ପୂର୍ବରୁ 20ଟି ଆଇସିୟୁ ଶଯ୍ୟା ରହିଥିବାବେଳେ ଏହା 50କୁ ବୃଦ୍ଧି କରାଯାଇଛି । ହାଇଟେକ ହସ୍ପିଟାଲରେ ପୂର୍ବରୁ 175 ସାଧାରଣ ଶଯ୍ୟା ରହିଥିବାବେଳେ ପୁଣି 105 ଶଯ୍ୟା ମିଶି ଶଯ୍ୟା ସଂଖ୍ୟା ମୋଟ 280କୁ ବୃଦ୍ଧି ପାଇବ । ଅନ୍ୟପଟେ ଏଠାରେ ପୂର୍ବରୁ 25ଟି ଆଇସିୟୁ ରହିଥିବା ଆହୁରି 25ଟି ଆଇସିୟୁ ସାମିଲ କରାଯାଇଛି । ଢେଙ୍କାନାଳର ଖଡଗ ପ୍ରସାଦ ହସ୍ପିଟାଲରେ 100 ସାଧାରଣ ଶଯ୍ୟା ରଖାଯିବ ।
ଏହି ସାଧାରଣ ଶଯ୍ୟା ପାଇଁ ରୋଗୀଙ୍କ ପିଛା ଦୈନିକ 3 ହଜାର ଟଙ୍କା ସହିତ 1,750 ଟଙ୍କା ଅନନ୍ୟ ଖର୍ଚ୍ଚ ମିଶାଇ ମୋଟ 4,750 ଟଙ୍କା ଦେବାକୁ ପଡିବ । ଆଇସିୟୁ ଓ ଏଚଡିୟୁ ପାଇଁ ଦୈନିକ 5 ହଜାର ଟଙ୍କା ସହ 12 ହଜାର ଅନନ୍ୟ ଖର୍ଚ୍ଚ ମିଶାଇ 17 ହଜାର ମୋଟ ଖର୍ଚ୍ଚ ରହିବ । ଏଚଡିୟୁ ପାଇଁ ଦୈନିକ 3 ହଜାର 500 ଟଙ୍କା ସହିତ 10 ହଜାର ଅନନ୍ୟ ଖର୍ଚ୍ଚ ମିଶି 13 ହଜାର 500 ଟଙ୍କା ଦେବାକୁ ପଡିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ