ଭୁବନେଶ୍ବର : ବର୍ଷର ବିଭିନ୍ନ ସମୟରେ ରାଜ୍ୟରେ ଥିବା ଜଙ୍ଗଲ ନିଆଁ ଲାଗିଛି । ଜଙ୍ଗଲ ନଷ୍ଟ ହେବା ସହ ପଶୁ ସମ୍ପଦ ନଷ୍ଟ ହେଉଛି । ଏ ନେଇ ନିନ୍ଦିତ ହେଉଛନ୍ତି ରାଜ୍ୟ ସରକାର ଓ ଜଙ୍ଗଲ ଏବଂ ପରିବେଶ ବିଭାଗ । ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ସରକାର ନେଇଛନ୍ତି ବଳିଷ୍ଠ ପଦକ୍ଷେପ । ଗଠନ କରିଛନ୍ତି ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ । ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀଙ୍କ ନେତୃତ୍ବରେ ଗଠନ କରାଯାଇଛି ଏହି ଟାସ୍କଫୋର୍ସ । ଏହି ରାଜ୍ୟସ୍ତରୀୟ ଟାସ୍କଫୋର୍ସରେ ଜଣେ ଚେୟାରମ୍ୟାନ, ଜଣେ ଆବାହକ ଓ 7 ଜଣ ସଦସ୍ୟ ରହିଛନ୍ତି ।
ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ଟାସ୍କଫୋର୍ସରେ ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଚେୟାରମ୍ୟାନ ଥିବାବେଳେ ବର୍ତ୍ତମାନର କାର୍ଯ୍ୟକାରୀ ପିସିସିଏଫ ଆବାହକ ରହିଛନ୍ତି । ସେହିପରି କାର୍ଯ୍ୟକାରୀ ପିସିସିଏଫ (ବନ୍ୟପ୍ରାଣୀ) ଶଶି ପାଲ, ଏଫଏସଆଇ ଡିଜି ପଙ୍କଜ ଅଗ୍ରୱାଲ, ଡେରାଡୁନର ଆଇସିଏଫଆରଇଙ୍କ ପ୍ରତିନିଧି, ଏନଆରଏସି, ହାଇଦ୍ରାବାଦର ଫରେଷ୍ଟ ଓ ଇକୋଲୋଜିର ମୁଖ୍ୟ, ଓଆରଏସଏସି ସିଇଓ ପି.କେ ମଲ୍ଲିକ, ଓଡିଶା ପରିବେଶ ସୋସାଇଟିର ସଚିବ ଜୟକୃଷ୍ଣ ପାଣିଗ୍ରାହୀ, ବାରିପଦାର ବିଜୟ ଅଗ୍ରୱାଲ ଏହି ଟାସ୍କଫୋର୍ସର ସଦସ୍ୟ ରହିଛନ୍ତି ।
ସଦସ୍ୟଙ୍କ ଲାଗି ସର୍ତ୍ତାବଳୀ:
1. ଜଙ୍ଗଲରେ ଚାଲିଥିବା ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବେ । ଏହାର କାରଣ ଏବଂ ତୁରନ୍ତ ନିରାକରଣ ଲାଗି ବ୍ୟବସ୍ଥା କରିବେ ।
2. ଜିଓମାଟିକ୍ସ ଆଧାରିତ ଫାୟାର ଆଲର୍ଟ ସିଷ୍ଟମ ସହିତ ବିଦ୍ୟମାନ ଫାୟାର ମ୍ୟାନେଜମେଣ୍ଟ ପ୍ରୋଟୋକଲ ଗୁଡ଼ିକର ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିବେ ।
3. ଜଙ୍ଗଲରେ ଅଗ୍ନି ପରିଚାଳନା ଓ ପ୍ରତିରୋଧରେ ପାଇଁ କଣ ଆବଶ୍ୟକତା ରହିଛି । ଏ ନେଇ ସରକାରଙ୍କୁ ପରାମର୍ଶ ଦେବେ ।
4. ଜଙ୍ଗଲ ଅଗ୍ନିକାଣ୍ଡରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ । ବନ୍ୟଜନ୍ତୁଙ୍କ କ୍ଷତି, ଜୈବ ବିବିଧତା ବୃଦ୍ଧି ପାଇଁ ଉପଯୁକ୍ତ ପଦକ୍ଷେପ ଓ ପରାମର୍ଶ ଦେବେ ।
5. ଏହିପରି ଅଗ୍ନିକାଣ୍ଡ ଘଟଣାକୁ ରୋକିବା ପାଇଁ ରାଜ୍ୟରେ ଅଗ୍ନି ନିରାକରଣ ଏବଂ ପରିଚାଳନା ପାଇଁ ଏସଓପିର ଉନ୍ନତି ପାଇଁ ପରାମର୍ଶ ଦେବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ବିକାଶ ଦାସ, ଇଟିଭି ଭାରତ