ଭୁବନେଶ୍ବର: ରାଜ୍ୟରେ ଜମିଜମା ବିବାଦ ବଢ଼ିବାରେ ଲାଗିଛି । ବିଶେଷ କରି ବିଭିନ୍ନ ତହସିଲରେ ମ୍ୟୁଟେସନ୍ ଆବେଦନ ବୃଦ୍ଧି ପାଇଛି । ଏହାର ସମାଧାନ ବିଳମ୍ବ ହେତୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବଢୁଛି । ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ଏକ ସପ୍ତାହ ମଧ୍ୟରେ ସାଧାରଣ ମାମଲା ସମାଧାନ ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ସାଧାରଣ ମାମଲାଗୁଡ଼ିକ ବିବାଦୀୟ ମାମଲା ଭାବରେ ଗ୍ରହଣ କରାଯାଉ । ଏହାକୁ ତୁରନ୍ତ ସମାଧାନ ଲାଗି ବ୍ୟବସ୍ଥା କରାଯାଉ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମୋ ସରକାରଙ୍କ 5ଟି ଅଧୀନରେ ରହିଛି । ସାରା ରାଜ୍ୟରେ ଅନିୟମିତ ମ୍ୟୁଟେସନ୍ ମାମଲା ମୋଟ ରାଜସ୍ୱ ମାମଲାର ପ୍ରାୟ 70 ପ୍ରତିଶତ । ତୁରନ୍ତ ଏହି ମାମଲାଗୁଡ଼ିକ ସମାଧାନ ଦିଗରେ ପାଇଁ ଧ୍ୟାନ ଦେବା ଆବଶ୍ୟକ ଅଛି ବୋଲି ପରାମର୍ଶ ଦେଇଛନ୍ତି ବିଷ୍ଣୁପଦ ।
ଓଡିଶା ସର୍ଭେ ଏବଂ ସେଟଲେମେଣ୍ଟ ନିୟମ-1962ର ସଂଶୋଧନ ଅନୁଯାୟୀ, ସମସ୍ତ ସହ-ଅଂଶୀଦାରମାନେ ପ୍ଲଟ୍ (ଅଂଶ କିମ୍ବା ସମ୍ପୂର୍ଣ୍ଣ) ବିକ୍ରୟ କରିବା ସମୟରେ କୌଣସି ବିଜ୍ଞପ୍ତି ଜାରି କରାଯିବା ଆବଶ୍ୟକ ନାହିଁ । ଆବେଦନ ଅବଧି 30 ରୁ 180 ଦିନକୁ ବୃଦ୍ଧି କରାଯାଇଛି । ମ୍ୟୁଟେସନ୍ ମାମଲାରେ ଚୂଡ଼ାନ୍ତ ଆଦେଶ ପାସ ହେବା ପରେ ଏହା ରେକର୍ଡ ଏବଂ ମାନଚିତ୍ରର ସଂଶୋଧନ କରିବାକୁ ନିର୍ଦେଶ ଦିଆଯାଇଛି ।
ମ୍ୟୁଟେସନ୍ ଆବେଦନ ଉପରେ ନଜର ରଖିବା ପାଇଁ ସରକାର ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) କୁ ଇ-ମ୍ୟୁଟେସନ୍ ସଫ୍ଟୱେୟାରରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ କହିଛନ୍ତି । ଯେଉଁଥିରେ ହାଇରାର୍କିକାଲ୍ ମ୍ୟାଟ୍ରିକ୍ସ ଅନ୍ତର୍ଭୁକ୍ତ ହୋଇଛି । ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟସୀମା ବାହାରେ ବିଚାରାଧୀନ ମ୍ୟୁଟେସନ୍ ମାମଲା ସମ୍ବନ୍ଧୀୟ ସୂଚନା ବରିଷ୍ଠ ଅଧିକାରୀଙ୍କ ନିକଟରେ ପହଞ୍ଚିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ