ଭୁବନେଶ୍ବର: ରାଜ୍ୟରେ ଫେବୃଆରୀ ମାସ ପାଇଁ ଗାଇଡଲାଇନ ଜାରି ହୋଇଛି । ବାହାଘର ଓ ଶେଷକୃତ୍ୟରେ ସାମିଲ ପାଇଁ 500 ଲୋକଙ୍କୁ ଅନୁମତି ମିଳିଛି । ଆସନ୍ତା 1ତାରିଖରୁ ଅଙ୍ଗନବାଡି କେନ୍ଦ୍ର ଖୋଲିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।
ଏହି ନୂଆ ଗାଇଡଲାଇନ ଫେବୃଆରୀ 28 ପର୍ଯ୍ୟନ୍ତ ଲାଗୁ ରହିବ । ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ 500 ଲୋକଙ୍କ ଏକାଠି ହୋଇପାରିବା ନେଇ ଅନୁମତି ମିଳିଛି । ଇଣ୍ଡୋର ହଲରେ 50 ପ୍ରତିଶତ ସିଟ୍ ପାଇଁ ଅନୁମତି ଓ ଖୋଲା ଜାଗାରେ ସ୍ଥାନ ଦେଖି ଅନୁମତି ମିଳିବ ବୋଲି ଦର୍ଶାଯାଇଛି ।
ତେବେ ପ୍ରତି ସମାବେଶରେ ମାସ୍କ, ସାମାଜିକ ଦୂରତା ଓ ଥର୍ମାଲ ସ୍କ୍ରିନିଂ ଜରୁରୀ କରାଯାଇଛି । ସେହିପରି ଏସଓପି ମାନି ସିନେମା ହଲ ଓ ଥିଏଟର ଖୋଲିବ । ଯାତ୍ରା ଓ ଖୋଲାମଞ୍ଚ ମଧ୍ୟ ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲି ପାରିବ ବୋଲି ଗାଇଡଲାଇନରେ ସୂଚନା ଦିଆଯାଇଛି । ଅନ୍ୟପଟେ ପ୍ରାଥମିକ ସ୍କୁଲ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏସଓପି ପ୍ରସ୍ତୁତ କରିବାକୁ କୁହାଯାଇଛି । ସେହିପରି ଇଞ୍ଜିନିୟରିଂ କଲେଜ ପାଇଁ ବୈଷୟିକ ବିଭାଗ ନିଷ୍ପତ୍ତି ନେବ ବୋଲି ଦର୍ଶାଯାଇଛି । ତେବେ ବାହାରେ ଛେପ ପକାଇଲେ ଦଣ୍ଡିତ ହେବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ