ଭୁବନେଶ୍ବର: ରବିବାର ଜେଏନୟୁରେ ଘଟିଥିବା ହିଂସାକୁ ତିବ୍ର ନିନ୍ଦା କରିଛି ରାଜ୍ୟ କଂଗ୍ରେସ । ସୋମବାର ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଓ ଜିନେଶ ଦାଶ ଘଟଣାକୁ ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଦେବାଶିଷ କହିଛନ୍ତି "ଭାରତର ମର୍ଯ୍ୟାଦା ସମ୍ପନ୍ନ ବିଶ୍ବବିଦ୍ୟାଳୟ ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ନିନ୍ଦନୀୟ । ସମ୍ପୂର୍ଣ୍ଣ ଘଟଣା ପଛରେ ବିଜେପି ଓ କେନ୍ଦ୍ର ସରକାରଙ୍କ ପ୍ରଚ୍ଛଦ ହାତ ଥିବା ସେ କହିଛନ୍ତି । ଜେଏନୟୁ ଭଳି ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ଗୁଣ୍ଡାରାଜ ଚାଳିଛି, ଏହି ଆକ୍ରମଣ ଏକ ସୁ-ଚିନ୍ତିତ ଏବଂ ପ୍ରାୟୋଜିତ ଆକ୍ରମଣ ବୋଲି କଂଗ୍ରେସ ସିଧାସଳଖ ବିଜେପି ଓ ଆରଏସଏସ କୁ ଟାର୍ଗେଟ କରି କହିଛି" ।
ରବିବାର ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଦୁର୍ବୃତ୍ତଙ୍କ ଉପରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ କଂଗ୍ରେସ । ଏହାସହ ଦଳ ଦାବି କରିଛି ଜେଏନୟୁର ଗାରିମା ବଜାୟ ରହୁ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ