ଭୁବନେଶ୍ବର: ରାଜ୍ୟ କାର୍ଯ୍ୟାଳୟ ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି । ମଣ୍ଡିରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଲା ବିଜେପି। ସୋମବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏଭଳି ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି ଯେ, ଏବେବି ବିଭିନ୍ନ ମଣ୍ଡିରେ ଧାନ ପଡି ରହିଛି। ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ଦରକାର। ମଣ୍ଡିରେ ଚାଷୀ କାନ୍ଦୁଛି। ସରକାର ବୋଧହୁଏ ଏକଥା ଜାଣିନାହାଁନ୍ତି। ଅଭିଯୋଗ କଲେ, କିଛି ଛୋଟଛୋଟ ଅଧିକାରୀଙ୍କ ଉପରେ ଅଠା ଲଗାଇ ଦିଆଯାଉଛି। ସରକାର ଓ ମିଲ ମାଲିକଙ୍କ ଭିତରେ ଚାଲିଛି ସଲା ସୁତୁରା।
ପ୍ରକୃତରେ ଏ କଟନୀ ଛଟନୀ କାହା ନିର୍ଦ୍ଦେଶରେ ହେଉଛି ? ଏହାର ଉତ୍ତର ରଖନ୍ତୁ ସରକାର । ସମ୍ବଲପୁରରେ ଆମେ ପ୍ରତିବାଦ କରିଥିଲୁ । ସରକାରଙ୍କୁ ୭୨ ଘଣ୍ଟାର ମହଲତ ଦିଆଯାଇଛି। ଖୁବଶୀଘ୍ର ନିଜର ପରବର୍ତ୍ତୀ ପନ୍ଥା ଘୋଷଣା କରିବ ବିଜେପି। ସେ ଆହୁରି କହିଛନ୍ତି ଯେ, ଏହା ୫ ପାଳିର ସରକାର। ହେଲେ ବିଭିନ୍ନ ସ୍ତରରେ ଏହାର ବାସ୍ତବ ପ୍ରତିଫଳନ ନାହିଁ ।
କାଳିଆ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ସମୀର । ସେହିପରି ସାରା ରାଜ୍ୟରେ ଜଳ ସେଚନର ବାସ୍ତବ ଉପଲବ୍ଧି ନେଇ ମଧ୍ୟ ଉଠାଇଲେ ପ୍ରଶ୍ନ । ପୁଣିଥରେ ଆଳୁ ଓ ପିଆଜ ମିଶନର ସଫଳତା ନେଇ ଉଠାଇଲେ ପ୍ରଶ୍ନ । ମୋଟ ଉପରେ ରାଜ୍ୟରେ ଏହା ଅଭାବନୀୟ ସ୍ଥିତି ସୃଷ୍ଟି କରିଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ