ଭୁବନେଶ୍ବର: ରାଜ୍ୟରେ ବଢିବାକୁ ଲାଗିଛି ଗ୍ରୀଷ୍ମ ପ୍ରବାହ । ଏନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଗ୍ରୀଷ୍ମ ପ୍ରବାହ ନେଇ IMD(India Meteorological Department) ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି । ଏହାକୁ ଆଧାର କରି 10 ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ।
SRC ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି । ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ସମ୍ବଲପୁର ଓ ସୋନପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC । ୧୬ ତାରିଖ ସକାଳ ୮ଟା ୩୦ରୁ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ଆଶଙ୍କା ରହିଛି । ସେହିଭଳି ଉପରୋକ୍ତ ୮ ଜିଲ୍ଲା ସମେତ ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ୧୭ ତାରିଖ ସକାଳ ସାଢ଼େ ୮ଟା ୩୦ରୁ ୧୮ ତାରିଖ ସକାଳ ୮ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି ।
ଅନ୍ୟପକ୍ଷରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲା ୧୮ ତାରିଖ ସକାଳ ୮ଟା ୩୦ରୁ ୧୯ ତାରିଖ ସକାଳ ୮ଟା ୩୦ରୁ ଯାଏଁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ରହିବାକୁ SRC ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ସହିତ ଗ୍ରୀଷ୍ମ ପ୍ରବାହ ନେଇ ଲୋକମାନଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଶିଶୁ, ବୟସ୍କ ଓ ଅସୁସ୍ଥ ଲୋକ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
ଦ୍ୱିପ୍ରହରରେ ଘରୁ ବାହାରିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ପାଣି ବୋତଲ, ଓଦା କପଡା, ORS, ଛତା ସାଥିରେ ରଖିବାକୁ କୁହାଯାଇଛି । ପରିସ୍ଥିତି ଉପରେ ନଜର ରଖି ପଦକ୍ଷେପ ନେବାକୁ ଜିଲ୍ଲାପାଳମଙ୍କୁ SRC ପରାମର୍ଶ ଦେଇଛନ୍ତି ।
ଭୁବେନଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ