ଭୁବନେଶ୍ବର: ଓଡିଶୀ ନୃତ୍ୟ, ସଙ୍ଗୀତ, ଲୋକକଳା, ଲୋକ ସଂଗୀତ, ନୃତ୍ୟ ନାଟକ ଓ ନାଦ ସଙ୍ଗୀତର ପ୍ରଚାର ପ୍ରସାର କୁ ନେଇ ଆରମ୍ଭ ହେବ ଓଡ଼ିଆ ସଂଗୀତ ନାଟକ ଏକାଡେମୀର ସ୍ବତନ୍ତ୍ର କାର୍ଯ୍ୟକ୍ରମ। କୋରୋନା ସମୟରେ ସବୁକିଛି ବନ୍ଦ ପଡି଼ଥିବା ବେଳେ ଓଡିଶାର ସଂସ୍କୃତି ଓ ପରମ୍ପରାର ପରିଚାୟକ ସାଜିଥିବା ସଂଗୀତ ନୃତ୍ୟ ଓ ଲୋକକଳାରରେ ନିପୁଣ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସକୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଛି ଏକାଡେମୀ।
ଖାଲି ସେତିକି ନୁହେଁ ଲୁକ୍କାୟିତ ପ୍ରତିଭା ସହ ଲୁକ୍କାୟିତକଳାର ପୁନଃବିକାଶ ପାଇଁ ସମ୍ପୂର୍ଣ୍ଣ ରାଜ୍ୟରେ ଏହି କାର୍ଯ୍ୟକ୍ରମ କରାଯିବ। ୨୦୨୧-୨୨ ବର୍ଷର କାର୍ଯ୍ୟସୂଚୀ ରୂପରେଖକୁ ନେଇ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୬ ଗୋଟି କାର୍ଯ୍ୟକ୍ରମକୁ ସ୍ଥାନିତ କରାଯାଇଥିବା ସୂଚନା ରହିଛି ।
ସେଥିମଧ୍ୟରୁ ପ୍ରବାହ, ଉତ୍କର୍ଶ, ଦୀକ୍ଷାଶାଳା, ଆମ ଶିଳ୍ପୀ ଆମ ଗର୍ବ ଓ ଓଡି଼ଶୀ ନୃତ୍ୟ ସଂଗୀତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ ହୋଇଥିବା ବେଳେ ଅବଶିଷ୍ଟ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବ। ତେବେ କୋରୋନା ପରିସ୍ଥିତି ଭିତରେ କିଛି କାର୍ଯ୍ୟକ୍ରମକୁ ଭର୍ଚ୍ଚୁଆଲ ମାଧ୍ୟମରେ କରିବାର ଯୋଜନା କରାଯାଇଛି । ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ଅଫ୍ଲାଇନରେ ପରିବେଷଣ କରାଯିବ ବୋଲି କହିଛନ୍ତି ଓଡ଼ିଆ ସଂଗୀତ ନାଟକ ଏକାଡେମୀର ସଭାପତି ଅରୁଣା ମହାନ୍ତି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁଶିଷ୍ୟ ପରମ୍ପରା, ନୂତନ ଓ ପୂର୍ବତନ ପିଢ଼ି ଭିତରେ ସମନ୍ଵୟ ରଖିବାର ପ୍ରୟାସ କରାଯାଇଛି। ମୁଖ୍ୟତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାକୁ ପ୍ରଧାନ୍ୟତା ଦିଆଯାଇଥିବା ବେଳେ କଳାକାରମାନଙ୍କୁ ପୁରାସ୍କାର ସହ ଆର୍ଥିକ ସହାୟତା ଯୋଗାଇଦିଆଯିବ ବୋଲି ମଧ୍ୟ ଏକାଡେମୀ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ