ଭୁବନେଶ୍ବର: ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ନେଇ ଏବେ ଗାଁ ଗାଁ ବୁଲିବ ‘ଟିକି ମାଉସୀ’ । ମହିଳା ଓ ଶିଶୁଙ୍କୁ ଚଳିବା ନେଇ ଶିଖାଇବେ ପାଠ । ଏନେଇ ଗୁରୁବାର ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ବ୍ୟାପକ ସଞ୍ଚାର ନୀତି ଏବଂ ମାସ୍କଟ ଉନ୍ମୋଚନ କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଯାଇଛି ।
ମହିଳା ଓ ଶିଶୁମାନଙ୍କ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ଏବଂ ମହିଳା ପୃଷ୍ଟି, ଶିଶୁ ଏବଂ ମହିଳା ସୁରକ୍ଷା ଓ ଏମାନଙ୍କର ବିକାଶକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସମାଜର ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ରହିଛି ।
ଏହି ମାସ୍କଟ ଲୋକମାନଙ୍କ ପାଖରେ ମା ଏବଂ ଶିଶୁମାନଙ୍କ ପାଇଁ ଚାଲୁଥିବା ସରକାରୀ ଯୋଜନାକୁ କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବ ସେନେଇ ଏକ ବ୍ୟାପକ ସଞ୍ଚାର ନୀତି ପ୍ରସ୍ତୁତ କରାଯାଇଛି । ଯାହାଦ୍ବାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ଟିଭି, ରେଡ଼ିଓ ଏବଂ ସମ୍ବାଦପତ୍ର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯିବ ।
ମା' ଭଳି ମାଉସୀ ଏକ ଏପରି ଚରିତ୍ର ଯାହାକୁ ସମସ୍ତେ ଗ୍ରହଣ କରିଥାନ୍ତି । ତେଣୁ ଆଜି ଟିକି ମାଉସୀ ମାସ୍କଟ ଅନାବରଣ କରାଯାଇଛି ଯାହାଦ୍ବାରା ଟିକି ମାଉସୀ ମହିଳା ଓ ଶିଶୁ ବିକାଶ ନେଇ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବ ବୋଲି ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ସେହିପରି ସଚେତନତା ସୃଷ୍ଟି କରାଇବା ଲକ୍ଷ୍ୟରେ ଆମ ସମାଜର ସମସ୍ତ ବର୍ଗରେ ଏହି ମାସ୍କଟ ପହଞ୍ଚି ପାରିବ ବୋଲି ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ କହିଛନ୍ତି।
ୟୁନିସେଫ ଓଡିଶା ମୁଖ୍ୟ ମୋନିକା ଓ ନିଲସେନଙ୍କ ସୂଚନା ଅନୁସାରେ ଓଡ଼ିଶାରେ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା, ବିକାଶ ଦିଗରେ ଏହି ମାସ୍କଟ କାର୍ଯ୍ୟ କରିବ । ତେବେ ୟୁନିସେଫ ପକ୍ଷରୁ ଶିଶୁମାନଙ୍କ ଅପପୃଷ୍ଟି ରୋକିବାକୁ ଧ୍ୟାନ ଦିଆଯାଉଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ