ଭୁବନେଶ୍ବର: କମିଶନର ଭାବେ ଦାୟିତ୍ବ ନେଲେ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ କାର୍ଯ୍ୟରେ ଯୋଗ ଦେବା ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ ଭିଜିବୁଲ ପୋଲିସିଂ, କ୍ବିକ ରେସପନ୍ସ, କମ୍ବାକ୍ଟ ଅପରେସନ ଜରିଆରେ ଟ୍ବିନସିଟିର ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାକୁ କମିଶନରେଟ ପୋଲିସର ସମସ୍ତ ପୋଲିସଙ୍କୁ ଆହ୍ବାନ ଦେଇଛନ୍ତି ।
ଥାନାରେ ମାମଲା ରୁଜୁ ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଘଟଣା ପର୍ଯ୍ୟନ୍ତ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଜନସାଧାରଣଙ୍କ ପାଇଁ ଭିଜିବୁଲ ପୋଲିସିଂ( ଆଖିଦୃଶିଆ ) ହେବ ବୋଲି ନୂଆ ସିପି ଆହ୍ବାନ ଦେଇଛନ୍ତି । ସେହିପରି ଯେକୌଣସି ଘଟଣାରେ ଯେପରି ପୋଲିସ କ୍ବିକ୍ ରେସପନ୍ସ (ତୁରନ୍ତ କାର୍ଯ୍ୟାନୁଷ୍ଠାନ) କରିବ ସେନେଇ ସମସ୍ତ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିପି । ସେହିପରି କୌଣସି ରାଜନୈତିକ ବିକ୍ଷୋଭ, ନିଆଁ ଲାଗିବା, ଗଣ୍ଡଗୋଳ, ଦୁର୍ଘଟଣା ଭଳି ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ଏକକାଳୀନ ସମସ୍ତ ଅଫିସର ଘଟଣା ସ୍ଥଳରେ ପହଞ୍ଚିବେ ବୋଲି କାର୍ଯ୍ୟରେ ଯୋଗ ଦେବାର ପ୍ରଥମ ଦିନରେ ପ୍ରତିଶୃତି ଦେଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ।
ତେବେ ୧୯୯୫ ବ୍ୟାଚର ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ କ୍ରାଇମବ୍ରାଞ୍ଚ ଏଡିଜି, ଇଣ୍ଟେଲିଜେନ୍ସ ଆଇଜି, ଅପରେସନ ଆଇଜି ଭଳି ଗୁରୁ ଦାୟିତ୍ବସମ୍ଭାଳିଛନ୍ତି । ୫ ଥର ରଥଯାତ୍ରା ପରିଚାଳନା ଏବଂ ନକ୍ସଲ ଅପରେସନ ଭଳି ଦାୟିତ୍ବ ପୂର୍ବରୁ ସଠିକ ଭାବେ ତୁଲାଇ ପାଓ୍ବାର କରିଡ଼ରରେ ବେଶ ଭଲ ସ୍ଥାନ ତିଆରି କରିଛନ୍ତି। ବିଟେକ ଇଂଜିନିୟରରୁ ଆଇପିଏସ ହୋଇଥିବା ଏହି ଅଫିସର ପୁରୀ, କଟକ, ଗଞ୍ଜାମ ଓ କେନ୍ଦୁଝର ଭଳି ଜିଲ୍ଲାରେ ଏସପି ଭାବେ କାର୍ଯ୍ୟଭାର ସମ୍ଭାଳି କ୍ରାଇମ କଣ୍ଟ୍ରୋଲ ଓ ଲ ଆଣ୍ଡ ଅର୍ଡ଼ର ତୁଲାଇ ନିଜର ପୋଲିସ କ୍ୟାରିୟରର ସଫଳତା ଦେଖାଇଛନ୍ତି।
ତେବେ ପୁରୀରେ ଥିବା ସମୟରେ ସେ ମହାବାତ୍ୟାଠୁ ଆରମ୍ଭ କରି ଫନି ପର୍ଯ୍ୟନ୍ତ ଏବଂ ନବକଳେବର ଓ କୋଭିଡ଼ ମହାମାରୀ ଭଳି ସମୟରେ ନିଜର ଦକ୍ଷତା ପ୍ରଦର୍ଶନ କରି ସରକାରଙ୍କ ସଙ୍କଟମୋଚନ ଭାବେ ଦାୟିତ୍ବ ତୁଲାଇଛନ୍ତି। ଆଗକୁ ପଞ୍ଚାୟତ ନିର୍ଵାଚନ ଦୈତନଗରୀର କ୍ରାଇମ କଣ୍ଟ୍ରୋଲ ସହ ଲ ଆଣ୍ଡ ଅର୍ଡ଼ର, ଭିଭିଆଇପି ଭିଜିଟ ପରିଚାଳନା କରିବା ହେବ ଗୁରୁ ଦାୟିତ୍ବ । କ୍ରାଇମବ୍ରାଞ୍ଚରେ ଥିବା ସମୟରେ ରାଜ୍ୟର ଅପରାଧୀ ନିୟନ୍ତ୍ରଣ ଓ ଅପରାଧୀ ଚାଲ ସମ୍ପର୍କରେ ସେ ବେଶ ଅବଗତ।
ଏହା ସହ 2 ସହର (ଭୁବନେଶ୍ବର-କଟକ) ଅପରାଧିକ କାର୍ଯକଳାପ ତଥା ଛିନତାଇ ଓ ଚୋରି ଭଳି ଷ୍ଟ୍ରିଟ କ୍ରାଇମ କଣ୍ଟ୍ରୋଲ ଓ ସାଇବର କ୍ରାଇମ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ପ୍ରଥମେ କଟକ ଡିସିପି ଭାବେ କାର୍ଯ୍ୟ କରିଥିବା ସମୟରେ ପଦିଆ ଏନକାଉଣ୍ଟରେ ସୌମେନ୍ଦ୍ର ଚର୍ଚ୍ଚାରେ ଆସିଥିବା ବେଳେ ଅପରାଧୀଙ୍କ ପାଇଁ ଭୟର ବାତାଵରଣ ସୃଷ୍ଟି କରିଥିଲେ। କମିଶନର ଭାବେ ଯୋଗଦେବା ପରେ କେମିତି ଅପରାଧୀ ନିୟନ୍ତ୍ରଣ ଓ ସହରବାସୀଙ୍କୁ ସୁରକ୍ଷା ସହ ତାଙ୍କ ଟ୍ରାଫିକ ପରିଚାଳନାରେ କଣ ପରିବର୍ତ୍ତନ ଆଣିବେ ତାହା ଉପରେ ସଭିଙ୍କ ନଜର।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ