ଭୁବନେଶ୍ବର: ବଲିଉଡ ଉପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ଏମପି ବୈଜୟନ୍ତ ପଣ୍ଡାଙ୍କ ସଙ୍ଗୀନ ଅଭିଯୋଗ । ବି-ଟାଉନର କିଛି କଳାକାରଙ୍କ ରହିଛି ପାକିସ୍ତାନ ଓ ISI ଲିଙ୍କ୍ । ଏହାର ପ୍ରତିକ୍ରିୟାରେ ବଲିଉଡର ସେହି କଳାକାରମାନେ ମାଫିଆଙ୍କ ଠାରୁ ସମ୍ପର୍କ ଭାଙ୍ଗିବା ଉଚିତ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି ।
ବୈଜୟନ୍ତ ପଣ୍ଡା କହିଛନ୍ତି, ‘ଆଗରୁ ବଲିଉଡର ବିଭିନ୍ନ ବ୍ୟକ୍ତିତ୍ବଙ୍କ ମାଫିଆଙ୍କ ସହ ସଂପର୍କ ରହିଥିଲା । ଯେଉଁମାନେ ପାକିସ୍ତାନରୁ ନିଜର କାର୍ଯ୍ୟକଳାପ ଚଳାଇ ଆସୁଥିଲେ । ବଲିଉଡର ଫଣ୍ଡିଂ ବି ସେଠାରୁ ଆସୁଥିଲା । ଯାହା ଜଣାପଡୁଛି ବର୍ତ୍ତମାନ ପର୍ଯ୍ୟନ୍ତ ବି ତାହା ଜାରିରହିଛି । ବଲିଉଡର ଅନେକ ସେଲିବ୍ରିଟି ରହିଛନ୍ତି ଯେଉଁମାନଙ୍କ ସେମାନଙ୍କ ସହ ସଂପର୍କ ରହିଛି । ଲଣ୍ଡନ ଓ ଆମେରିକା ଆଦି ସହରରେ ସେମାନଙ୍କୁ ଦେଖିବାକୁ ମିଳିଛି । ସେମାନଙ୍କ ସହ ବନ୍ଧୁତ୍ବ ରଖିବା ସହ ବ୍ୟବସାୟିକ ସଂପର୍କ ମଧ୍ୟ ରହିଥିବା ଦେଖାଯାଇଛି । ସେମାନେ ସୋସିଆଲ ମିଡିଆରେ ଜମ୍ମୁକାଶ୍ମୀରରେ ହିଂସା ସୃଷ୍ଟି କରିବା ପାଇଁ କହୁଛନ୍ତି । ଏହା ସହ ସେମାନଙ୍କୁ ମଧ୍ୟ ପାକିସ୍ତାନୀ ଜେନେରାଲ ଓ ଆଇଏସଆଇଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ଯାହା ଠିକ ନୁହେଁ ବୋଲି ବୈଜୟନ୍ତ ପ୍ରକାଶ କରିଛନ୍ତି ।
ଏହା ତ ଆଗରୁ ସେମାନଙ୍କୁ ଜଣାନଥିଲା । ବର୍ତ୍ତମାନ ତ ତାହା ଜଣାପଡିଗଲା । ତେଣୁ ଏବେ ସେହି ବଲିଉଡ କଳାକାରମାନେ ଏହାକୁ ଘୋଷଣା କରନ୍ତୁ । ଏପରି ସଂପର୍କକୁ ସେମାନେ ଛିନ୍ନ କରନ୍ତୁ ବୋଲି ବୈଜୟନ୍ତ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ