ଭୁବନେଶ୍ବର: ରାଜ୍ୟ ସିମକାର୍ଡ ଜାଲିଆତି ଘଟଣାର ନୂଆ ଖୁଲାସା କରିଛି କମିଶନରେଟ ପୋଲିସ । ହ୍ବାଟ୍ସଆପ୍ ଗ୍ରୁପ ଜରିଆରେ ରଚାଯାଇଥିଲା ବଡ ଷଡଯନ୍ତ୍ର । ଭାରତ ବର୍ଡରରେ ପହଞ୍ଚୁଥିଲା ଓଡିଶାର ତଥ୍ୟ । ମାଧ୍ୟମ ସାଜିଥିଲା ହ୍ବାଟ୍ସଆପ୍ ଓଟିପି ଗ୍ରୁପ । ଓଟିପି ଗ୍ରୁପରେ ଥିଲେ ସାରା ଦେଶର ୧୦୦ରୁ ଊର୍ଦ୍ଧ୍ବ ୟୁଜରସ୍ । ଯେଉଁମାନେ କି ଏକତ୍ରିତ କରୁଥିଲେ ସାରା ଦେଶର ଟେଲିକମ ନେଟୱର୍କ ସମ୍ପର୍କିତ କିଛି ଗୁମର ତଥ୍ୟ । ଏହି ଗ୍ରୁପ ଜରିଆରେ ଇନଫରମେସନ ସେୟାର କରୁଥିଲେ ଓଡିଶାର ଦୁଇ ଯୁବକ। ଯାହାର ସୁରାକ ଲାଗିଛି କମିସନରେଟ ପୋଲିସ ହାତରେ । ସିମକାର୍ଡ ଜାଲିଆତି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ପଚରାଉଚରା ବେଳେ ପୋଲିସ ସୁରାକ ପାଇଛି ।
ଏପରିକି କିପରି ସେମାନେ ଗ୍ରୁପ ଜରିଆରେ ରାଜ୍ୟରେ ଫେକ ଡକୁମେଣ୍ଟରେ ଆକ୍ଟିଭେସନ ହେଉଥିବା ସିମକାର୍ଡ ସମ୍ପର୍କରେ ସେୟାର କରୁଥିଲେ ତାହା ମଧ୍ୟ ଜାଣିବାକୁ ପାଇଛି ପୋଲିସ । ସେହି ଗ୍ରୁପରେ ରାଜ୍ଯ ବାହାରକୁ ସିମକାର୍ଡ କେବେ ପଠାଯିବ କେଉଁ ସିମର ଏବଂ କେଉଁ ଓଟିପି ଆସିବ ସେନେଇ ତଥ୍ଯ ନେଣ ଦେଣ ହେଉଥିଲା । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ କିଛି ତଥ୍ୟ ପୋଲିସ ଲୁଚାଇ ତଦନ୍ତ ଜାରି ରଖିଛି ।
ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ଯାହା ଆମର ତଦନ୍ତରେ ଆବଶ୍ଯକ ସେ ଦିଗରେ ତଦନ୍ତ କରିଛୁ, ତିନି ଦିନର ଆବଶ୍ୟକ ପଡିଥିଲା ରିମାଣ୍ଡ ପାଇଁ କିନ୍ତୁ କୋର୍ଟ ଦିନକ ପାଇ ଅନୁମତି ଦେଇଥିବାରୁ ମୁଖ୍ୟ ଦିଗ ପ୍ରତି ଫୋକସ ଦେଇ ତଦନ୍ତ ଚାଲିଛି । ତେବେ ସାରା ଦେଶରେ ବିଭିନ୍ନ ସ୍ଥାନରେ ଥାଇ ଏଭଳି ରାଜ୍ୟର ଏକ ବଡ ଜାଲିଆତି ରଚାଯାଉଥିବା ବେଳେ ଏହି ଘଟଣାରେ କେବଳ ପୋଲିସ ଓଡିଶାର ଅପରାଧିକ ଲିଙ୍କ ଦେଖି ବାକି ଅନ୍ୟ ଦିଗ ପ୍ରତି ଅଣଦେଖା କରୁଛି।
ଏଭଳି ଏକ ଜାତୀୟ ସ୍ତରର ଏକ ରାକେଟ ସମ୍ପର୍କରେ ଅଧିକ ଅନୁସନ୍ଧାନ କରିବାର ଆବଶ୍ଯକତା ରହିଛି । କାରଣ ପୋଲିସ ହାତରେ ଦେଶବ୍ୟାପି ଚାଲୁଥିଵା ଏକ ବଡ ହ୍ବାଟ୍ସଆପ ଗ୍ରୁପର ତଥ୍ୟ ପାଇଛି । ଯାହାକୁ ଛାନଭିନ କଲେ ହୁଏତ ସାରା ଦେଶର ବିଭିନ୍ନ ସ୍ଥାନରେ ରହି ସାଇବର ଠକେଇ ଅପରେଟ କରୁଥିବା ଠକଙ୍କ ସୁରା ସହଜରେ ମିଳିପାରିବ । ଏ ଦିଗରେ କେନ୍ଦ୍ର ଗୃହ ବିଭାଗ ଫୋକସ ଦେଇ ଏହି ସିମକାର୍ଡ ଜାଲିଆତି ଘଟଣାକୁ NIA ବା କୌଣସି ଜାତୀୟ ସ୍ତରର ତଦନ୍ତ ଏଜେନ୍ସିକୁ ଏହାର ତଦନ୍ତ କରିଵା ଜରୁରୀ ହୋଇପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ