ଭୁବନେଶ୍ବର: ଲକ୍ଡାଉନ ସମୟରେ ମାଛ ଚାଷ କରି କୋଟିପତି ହୋଇଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ । ମାଛଚାଷ କରିବା ସହ ଏହାକୁ ବିକ୍ରି କରି ନିଜେ ସ୍ବାବଲମ୍ବୀ ହେବା ସହ ଲକ୍ଷାଧିକ ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି ଏମାନେ । କଳାହାଣ୍ଡି ଜିଲ୍ଲା ଲାଖପଦର ଗାଁ କେଦାରଗୌରୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହାର ଉଦାହରଣ ସାଜିଛନ୍ତି । 3 ବର୍ଷ ପାଇଁ ପଞ୍ଚାୟତ ପୋଖରୀ ଲିଜ୍ ନେଇ ଏଠାରେ ମାଛ ଚାଷ କରି ଲାଭବାନ ହୋଇଛନ୍ତି ଏମାନେ ।
2016 ମସିହାରେ 10 ଜଣ ଗରିବ ମହିଳାଙ୍କୁ ନେଇ ଗଠିତ ଏହି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସହାୟତାରେ ମାଛଚାଷ ପାଇଁ ଗ୍ରାମପଞ୍ଚାୟତର 14 ଏକର ପୋଖରୀ ଲିଜ୍ ନେଇଥିଲେ । 2019 ମସିହାରେ ଲିଜ୍ ନେବା ପରେ ଏଥିରେ ଆରମ୍ଭ କରିଥିଲେ ମାଛ ଚାଷ । ବ୍ୟବସାୟିକ ଭିତ୍ତିରେ ମାଛଚାଷ ପାଇଁ ତାଲିମ ନେବା ସହ ମିଶନ ଶକ୍ତି ସହାୟତାରେ 3 ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ନେଇ 3 କ୍ବିଣ୍ଟାଲ୍ର ମାଛ ଯାଆଁଳ ଛାଡିଥିଲେ ।
ତେବେ ମିଶନ ଶକ୍ତି ଜୀବିକା ସଂଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଏସ୍ଏଚ୍ଜି ମତ୍ସ୍ୟ ନିର୍ଦ୍ଦେଶାଳୟ ତରଫରୁ 3.6ଲକ୍ଷ ଟଙ୍କାର ଇନ୍ପୁଟ୍ ସବ୍ସିଡି ପାଇପାରିଛନ୍ତି । କୋଭିଡ୍-19 ଲକ୍ଡାଉନ୍ ସମୟରେ 1.5 ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ 10 କ୍ବିଣ୍ଟାଲ୍ ମାଛ ଉତ୍ପାଦନ କରି ସ୍ଥାନୀୟ ବଜାରରେ ବିକ୍ରି କରିଛନ୍ତି । ଏ ପର୍ଯ୍ୟନ୍ତ ପ୍ରାୟ 2.1 ଲକ୍ଷ ଟଙ୍କାର ଲାଭ ପାଇଥିବା ଏହି ମହିଳାମାନେ ଶେଷ ଅମଳ ବେଳକୁ ଆଖିଦୃଶିଆ ଲାଭ ପାଇବେ ବୋଲି ଆଶା ରଖିଛନ୍ତି ।
ଆମର ନିୟମିତ ଘର ଖର୍ଚ୍ଚ ପାଇଁ ଯଥେଷ୍ଟ ଆର୍ଥିକ ସହଯୋଗ କରିପାରିଥିବାରୁ ଆମେ ବହୁତ ଖୁସି । ଆମ ପାଇଁ ମାଛଚାଷ କେବଳ ଜୀବିକା ନୁହେଁ । ଏହା ଆମକୁ ସାମାଜିକ ପରିଚୟ, ପ୍ରତିଷ୍ଠା ଏବଂ ଆତ୍ମବିଶ୍ବାସ ଆଣିଦେଇଛି । ଓଡିଶାର ମହିଳାମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିବାରୁ ମିଶନ ଶକ୍ତି ନିକଟରେ ଆମେ କୃତଜ୍ଞ ବୋଲି କେଦାରଗୌରୀ ଏସ୍ଏଚ୍ଜିର ସଭାପତି କମଳି ଭୋଇ କହିଛନ୍ତି ।
ବର୍ତ୍ତମାନ ରାଜ୍ୟରେ 6 ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀରେ 70 ଲକ୍ଷ ମହିଳା ସଦସ୍ୟା ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି । ରାଜ୍ୟ ସରକାରଙ୍କର ଦ୍ବାରା 29ମଇ, 2019ରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ବିଭିନ୍ନ ସେବା ପ୍ରଦାନ ତଥା ସରକାରୀ ବିଭାଗଗୁଡିକର ସାମଗ୍ରୀ ସଂଗ୍ରହ କାର୍ଯ୍ୟକ୍ରମରେ ମିଶନ ଶକ୍ତି ଏସ୍ଏଚ୍ଜିମାନଙ୍କୁ ନିୟୋଜିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାଦ୍ବାରା ବିଭିନ୍ନ ବିଭାଗ ସହ ସଂଯୋଜନାରେ ସରକାରୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲକ୍ଷ ଲକ୍ଷ ମହିଳାଙ୍କୁ ମିଶନ ଶକ୍ତି ଗୋଷ୍ଠୀ ମାଧ୍ୟମରେ ସାମିଲ କରି ଅତିରିକ୍ତ ଏବଂ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟ ରହିଛି ।
ଏହି ନିଷ୍ପତ୍ତି ଫଳରେ ପ୍ରତି ବର୍ଷ ଏସ୍ଏଚ୍ଜିମାନଙ୍କୁ ପ୍ରାୟ 1 ହଜାର କୋଟି ଟଙ୍କା ମୂଲ୍ୟର ବ୍ୟବସାୟ ଯୋଗାଇ ଦିଆଯିବାର ନିଷ୍ପତ୍ତି ହୋଇଛି । ମତ୍ସ୍ୟ ନିର୍ଦ୍ଦେଶାଳୟର ସହଯୋଗରେ ଗ୍ରାମପଞ୍ଚାୟତ ପୋଖରୀରେ ଏସ୍ଏଚ୍ଜିମାନଙ୍କ ଦ୍ବାରା ମାଛଚାଷ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇପାରିଛି । ରାଜ୍ୟରେ ଗ୍ରାମପଞ୍ଚାୟତଗୁଡିକ ଦ୍ବାରା ପ୍ରାୟ 51 ହଜାର ହେକ୍ଟର ପରିମିତ ଜଳଉତ୍ସରେ 64 ହଜାର ପଞ୍ଚାୟତ ପୋଖରୀର ପରିଚାଳନା କରାଯାଉଛି ।
ଏହି ପୋଖରୀଗୁଡିକୁ ପଞ୍ଚାୟତର ରାଜସ୍ବ ବୃଦ୍ଧି ପାଇଁ ବାର୍ଷିକ ଲିଜ୍ ଆକାରରେ ମାଛଚାଷ ପାଇଁ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ 2018 ମସିହାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଓ ମିଶନ ଶକ୍ତି ନିର୍ଦ୍ଦେଶାଳୟ ସହଭାଗିତାରେ ‘ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ‘ପଞ୍ଚାୟତ ପୋଖରୀରେ ମାଛ ଚାଷ’ ନାମକ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ମିଶନ ଶକ୍ତି ଏସ୍ଏଚ୍ଜିମାନଙ୍କୁ 3ରୁ 5 ବର୍ଷ ପର୍ଯ୍ୟନ୍ତ ଦୀର୍ଘମିଆଦୀ ସୂତ୍ରରେ ଅଗ୍ରାଧିକାର ଭିତ୍ତିରେ ଗ୍ରାମପଞ୍ଚାୟତ ପୋଖରୀଗୁଡିକୁ ଲିଜ୍ ଆକାରରେ ପ୍ରଦାନ କରାଯାଉଛି ।
ଲିଜ୍ ଚୂଡ଼ାନ୍ତ ହେବା ପରେ ପ୍ରତ୍ୟେକ ଏସ୍ଏଚ୍ଜି ଲିଜ୍ ମୂଲ୍ୟ ବାବଦକୁ ପ୍ରତି ବର୍ଷ ଏକର ପିଛା 2000ଟଙ୍କା ଜମା କରୁଛନ୍ତି । ପ୍ରତ୍ୟେକ ମାସରେ ବ୍ଲକ୍ ଏବଂ ଜିଲ୍ଲାସ୍ତରୀୟ ମତ୍ସ୍ୟ ଅଧିକାରୀମାନେ ମହିଳା ଗୋଷ୍ଠୀମାନଙ୍କୁ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି । ଏହି ଯୋଜନାରେ ମିଶନ ଶକ୍ତି ଗୋଷ୍ଠୀମାନଙ୍କୁ ହେକ୍ଟର ପିଛା 90 ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି । ଯାହାକି ମାଛ ଉତ୍ପାଦନ ଖର୍ଚ୍ଚର 60 ପ୍ରତିଶତ ଅର୍ଥ ଅଟେ ।
ଯୋଜନାର ସଫଳ ରୂପାୟନ ପାଇଁ ମିଶନ ଶକ୍ତି ଗୋଷ୍ଠୀମାନଙ୍କ ନିମନ୍ତେ ନିୟମିତ ତାଲିମ ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । 30ଟି ଜିଲ୍ଲାରେ ଟ୍ରେନରମାନଙ୍କ ପାଇଁ ଟ୍ରେନିଂ କାର୍ଯ୍ୟକ୍ରମ କରାଯିବା ସହ ସେମାନଙ୍କ ମଧ୍ୟରୁ 1296 ଜଣ ଏସ୍ଏଚ୍ଜି ସଦସ୍ୟାଙ୍କୁ ମାଷ୍ଟର ଟ୍ରେନର ଭାବେ ଚୟନ କରାଯାଇଛି । ଯେଉଁମାନେ କି ମାଛଚାଷରେ ସଂପୃକ୍ତ ଗୋଷ୍ଠୀମାନଙ୍କୁ ବ୍ଲକ୍ସ୍ତରରେ ତାଲିମ ପ୍ରଦାନ କରୁଛନ୍ତି ।
ପୋଖରୀ ପ୍ରସ୍ତୁତି, ମାଛ ବିହନ ଚୟନ, ପରିବହନ ଏବଂ ଯାଆଁଳ ଛାଡ଼ିବା, ମାଛ ଖାଦ୍ୟ ପରିଚାଳନା, ଜଳର ମାନ ପରିଚାଳନା, ମାଛର ସ୍ବାସ୍ଥ୍ୟ ବୃଦ୍ଧି, ଅମଳ, ଅମଳ ପରିବର୍ତ୍ତୀ ପରିଚାଳନା ଏବଂ ବ୍ୟବସାୟ ସଂପର୍କରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । 2018-19 ଏବଂ 2019-20 ଆର୍ଥିକ ବର୍ଷରେ 3579.42 ହେକ୍ଟର ପରିମିତ 4401ଟି ପଞ୍ଚାୟତ ପୋଖରୀକୁ ମିଶନ ଶକ୍ତି ମହିଳା ଗୋଷ୍ଠୀମାନଙ୍କୁ ମାଛଚାଷ ପାଇଁ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଛି ।
4038ଟି ପଞ୍ଚାୟତ ପୋଖରୀରେ ଏ ପର୍ଯ୍ୟନ୍ତ ପ୍ରାୟ 83କୋଟି ଟଙ୍କାର ମାଛ ଉତ୍ପାଦନ ହୋଇଛି । ନିଜ ଘରପାଖରେ ବଜାର ସୁବିଧା ଫଳରେ ଏହି ଜୀବିକା କାର୍ଯ୍ୟକ୍ରମ ବେଶ୍ ସଫଳ ହେବା ସହ ରାଜ୍ୟର ମହିଳା ଏବଂ ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନକୁ ଅନେକାଂଶରେ ସୁନିଶ୍ଚିତ କରିପାରିଛି ।
2019-20 ଆର୍ଥିକ ବର୍ଷରେ 2400ମିଶନ ଶକ୍ତି ଗୋଷ୍ଠୀ 2344ଟି ପଞ୍ଚାୟତ ପୋଖରୀରେ ଉନ୍ନତ ମାଛ ଚାଷ କରି ଲାଭବାନ ହୋଇପାରିଛନ୍ତି । ଲକ୍ଡାଉନ୍ ସମୟରେ 4355ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରାୟ 21 ହଜାର କ୍ବିଣ୍ଟାଲ ମାଛ ଉତ୍ପାଦନ କରିଛନ୍ତି ଯାହାର ବଜାର ମୂଲ୍ୟ 30.2 କୋଟି ଟଙ୍କା ଏବଂ ଏଥିରୁ ସେମାନେ 15.1 କୋଟି ଟଙ୍କାର ଲାଭ ପାଇ ପାରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ