ଭୁବନେଶ୍ବର: ପାତ୍ରପଡା ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅର ମୃତଦେହ ମିଳିବା ଘଟଣା । ତେବେ ପୋଖରୀରେ ବୁଡିବା ଯୋଗୁଁ ମନୀଷଙ୍କର ମୃତ୍ୟୁ ହୋଇଛି ନା ତାଙ୍କୁ ମାରି ପୋଖରୀରେ ଫିଙ୍ଗି ଦିଆଯାଇଛି, ତାହା ଜାଣିବା ପାଇଁ ଆଜି ହେବ ଡାଏଟମ ଟେଷ୍ଟ ।
ଏପଟେ ଗତକାଲି(ରବିବାର) ସଂନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ମୃତ ମନୀଷ ବ୍ୟବହାର କରୁଥିବା କାର ପାଇଥିଲା ପୋଲିସ । ତେବେ ସେଠାରୁ ମନୀଷ ପାତ୍ରପଡା କେମିତି ଗଲେ, ସେନେଇ ସୁରାକ ଖୋଜୁଛି ପୋଲିସ । ଏପରିକି ତାଙ୍କୁ ସେଠାରୁ ନେଇଥିବା କିଛି ଯୁବକଙ୍କ ପରିଚୟ ମଧ୍ୟ ପାଇଛି ପୋଲିସ । ସେଠାରୁ ସେମାନେ କୁଆଡେ ଗଲେ ? କିପରି ପାତ୍ରପଡାରେ ପହଞ୍ଚିଲେ ? ମୃତ୍ୟ ସମ୍ପର୍କରେ ଜାଣିଛନ୍ତି କି ନାହିଁ ? ମୃତ୍ୟୁର କାରଣ କଣ ହୋଇପାରେ, ତାହା ଏବେ ସନ୍ଦେହ ଘେରରେ ରହିଥିବା ବେଳେ ଏବେ ଏହାର ଉତ୍ତର ଦେବ ଡାଏଟମ ଟେଷ୍ଟ ।
ଅଧିକ ଜାଣନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ, ପୋଖରୀରେ ଭାସୁଛି ବରିଷ୍ଠ ସାମ୍ବାଦିକଙ୍କ ପୁଅ ମୃତଦେହ
ସାଇଣ୍ଟିଫିକ ଟିମ ଉକ୍ତ ପୋଖରୀରୁ ଦୁଇ ବୋତଲ ପାଣି ସଂଗ୍ରହ କରିଛି । ବ୍ୟବଚ୍ଛେଦ ବେଳେ ତାଙ୍କ ଫୁସଫୁସ ଓ ଅନ୍ୟ ଆଭ୍ୟନ୍ତରୀଣ ଅଙ୍ଗର ନମୁନା ସଂଗ୍ରହ କରାଯିବ । ଏସବୁକୁ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରାକୁ ପଠାଯିବ । ଯାହାର ରିପୋର୍ଟରୁ ମୃତ୍ୟୁର ସତ୍ୟତା ସାମ୍ନାକୁ ଆସିବ । ଏପଟେ ମୃତ୍ୟୁ ଯଦି ଶ୍ବାସରୁଦ୍ଧ ଜନିତ ହୋଇଥିବ, ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାହା ଜଣାପଡିଯିବ ବୋଲି ପୋଲିସ କହିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ