ଭୁବନେଶ୍ବର: ବିଶ୍ଵ ଯୁବ ଦକ୍ଷତା ଦିବସରେ ସରକାରୀ ଆଇଟିଆଇ ଭୁବନେଶ୍ୱରରେ ରାଜ୍ୟର ଦ୍ଵିତୀୟ ସ୍କିଲ ମ୍ୟୁଜିୟମ୍କୁ ଉଦଘାଟିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ଯୋଗ ଦେଇ ବିଶ୍ଵର ପ୍ରମୁଖ ଉଦ୍ୟୋଗୀମାନେ ଓଡ଼ିଶାର ଯୁବଗୋଷ୍ଠୀଙ୍କ ପ୍ରତିଭା ପ୍ରତି ଆକର୍ଷିତ ହେଉଛନ୍ତି ଓ ନିକଟ ଭବିଷ୍ୟତରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ଆଗେଇ ଆସିବେ ବୋଲି ମତ ରଖିଛନ୍ତି ।
ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି ଯେ, ପୁନଃନିର୍ମାଣ ଓ ପୁନର୍ଗଠନ ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପଡ଼ିବ । ଦକ୍ଷତା, ଉପଯୁକ୍ତ କାର୍ଯ୍ୟ ଏବଂ ଉଦ୍ୟମିତା ପାଇଁ ଆବଶ୍ୟକ ଗୁରୁତ୍ଵପୂର୍ଣ୍ଣ ଯୋଜନାକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ଏହା ସହ ସାମ୍ପ୍ରତିକ ତଥା ଭବିଷ୍ୟତରେ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ ।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଛାତ୍ରଛାତ୍ରୀଙ୍କୁ ବିଶ୍ଵ ଯୁବ ଦକ୍ଷତା ଦିବସର ଅଭିନନ୍ଦନ ଜଣାଇ ଚଳିତ ବର୍ଷ ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଓଡିଶାରୁ ଭାଗ ନେଉଥିବା ୧୨ ଜଣ ପ୍ରତିଯୋଗୀଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ବିଶ୍ଵ ଯୁବ ଦକ୍ଷତା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଅବଗତ କରାଇଥିଲେ । ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସ୍କିଲ୍ ମ୍ୟୁଜିୟମ୍ରେ ବୈଷୟିକ ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ଓ ଜନସାଧାରଣଙ୍କୁ ଶିଳ୍ପ ତାଲିମ ସଂପର୍କିତ ତଥ୍ୟ ପ୍ରଦାନ କରାଯିବ । ଏହା ଦକ୍ଷତା ଶିକ୍ଷା ଓ ବୃତ୍ତି ପ୍ରତି ଆକର୍ଷିତ ହେବା ପାଇଁ ପ୍ରେରଣା ଯୋଗାଇବ। ମ୍ୟୁଜିୟମ୍ରେ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ଵାରା ବର୍ଜ୍ୟବସ୍ତୁରୁ ପୁନଃପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀ ସ୍ଥାନ ପାଇଛି । ବିଭିନ୍ନ ବୈଦୁତିକ ଉପକରଣର ପୁରାତନ ଇତିହାସକୁ ମଧ୍ୟ ଏହି ମ୍ୟୁଜିୟମ୍ରେ ସ୍ଥାନିତ କରାଯାଇଛି । ରାଜ୍ୟର ପ୍ରଥମ ସ୍କିଲ ମ୍ୟୁଜିୟମ ସରକାରୀ ଆଇଟିଆଇ କଟକରେ ଅବସ୍ଥାପିତ ।