ଭୁବନେଶ୍ବର: ଆସନ୍ତାକାଲି(ଶୁକ୍ରବାର) ସକାଳ 10ଟାରୁ କୋଭିଡ଼ ଟିକାର ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏରନ ପ୍ରକ୍ରିୟା ଆରମ୍ଭ ହେବ । ଏହା ସମସ୍ତ ଜିଲ୍ଲା ଓ ମହାନଗର ନିଗମରେ କରାଯିବ । ତେବେ ଏନେଇ ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ଚିଠି ପଠାଯାଇଥିବା ଜଣାପଡ଼ିଛି ।
ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏରନ ପ୍ରକ୍ରିୟା ପାଇଁ ଗୁରୁବାର ଏକ ବୈଠକ ବସିଥିଲା । ଏହି ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହେବା ସହିତ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଲେ ଯଥାଶୀଘ୍ର ନେବାକୁ ଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ତେବେ ଏହି ଡ୍ରାଏରନ ପ୍ରକ୍ରିୟା ସକାଳ 10ଟାରୁ 12ଟା ପର୍ଯ୍ୟନ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
ପାର୍ଶ୍ବ ପ୍ରତିକ୍ରିୟା ପାଇଁ ସ୍ବତନ୍ତ୍ର ଭାବେ ଏଇଏଫଆଇ କିଟକୁ ରଖାଯିବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ଜିଲ୍ଲାରେ ଡ୍ରାଏରନ ହୋଇଛି । ଶୁକ୍ରବାର ପ୍ରତି ଜିଲ୍ଲାର 3ଟି ସେଣ୍ଟରରେ ଡ୍ରାଏରନ କରାଯିବ । ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟ ସେବା (ପିଏଚସି) ଓ ସମ୍ପ୍ରଦାୟ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି) ଏବଂ ମେଡ଼ିକାଲ କଲେଜରେ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ