ଭୁବନେଶ୍ବର: 5T ଉପକ୍ରମରେ ବର୍ତ୍ତମାନ ରାଜ୍ୟରେ ସବୁ ହାଇସ୍କୁଲ ସ୍ମାର୍ଟ ସ୍କୁଲ୍ରେ ରୂପାନ୍ତୀକରଣ ହେଉଛି । ଏହାକୁ ନେଇ ଭୁବନେଶ୍ବର ଜୟଦେବ ଭବନରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ବିଦ୍ୟାଳୟ ରୂପାନ୍ତରୀକରଣ ଆବଶ୍ୟକତା ଶୀର୍ଷକ ନେଇ ଏହି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି, ବରିଷ୍ଠ ଶିକ୍ଷାବିତ, ଶିକ୍ଷା ବିଶେଷଜ୍ଞ, ସାମାଜିକ ଅନୁଷ୍ଠାନ, ଶିକ୍ଷକ ନେତା ଓ ମହାସଂଘର ସମସ୍ତ ରାଜ୍ୟସ୍ତରୀୟ ପଦାଧିକାରୀ ଯୋଗ ଦେଇଥିଲେ l
ଶିକ୍ଷାର ବ୍ୟାପକ ଘରୋଇକରଣ ଯୋଗୁଁ ଶିକ୍ଷାଦାନରେ ମାନବିକ ମୂଲ୍ୟବୋଧର ଅବକ୍ଷୟ ହେଉଛି । ସ୍ୱାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ସରକାର ସବୁବେଳେ ଶିକ୍ଷା କ୍ଷେତ୍ରକୁ ଅବହେଳା କରି ଆସିଛନ୍ତି । ବର୍ତ୍ତମାନ ଚାଲିଥିବା ବିଦ୍ୟାଳୟ ରୂପାନ୍ତରୀକରଣ କେବଳ ଲୋକ ଦେଖାଣିଆ ଓ ପ୍ରଚାର ସର୍ବସ୍ବ ହୋଇଥିବା ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ l
ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାପରେ କେବଳ କାନ୍ଥରେ ରଙ୍ଗ ମାରିବା ଓ ଟେବୁଲ ଚେୟାର ପକାଇବା ଛାଡ଼ି ପ୍ରଥମେ ଶିକ୍ଷକ ନିଯୁକ୍ତି ଉପରେ ଜୋର ଦେବା ଆବଶ୍ୟକତା ରହିଛି । ଅନ୍ୟାନ୍ୟ ମୌଳିକ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ଦାବି ହୋଇଛି । ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ