ଭୁବନେଶ୍ବର: ସାଧାରଣ ଭାବରେ ବିଦ୍ୟାଳୟରେ ପାଠ ପଢ଼ୁଥିବା ପିଲାମାନେ ଦୈନନ୍ଦିନ ଜୀବନରେ ଜଲଦି ଉଠିବା, ଶୋଇବା ଏବଂ ସୁଷମ ଖାଦ୍ୟ ଖାଇଥାନ୍ତି । ହେଲେ କରୋନା ମହାମାରୀ ସମୟରେ ପିଲାଙ୍କ ଏ ସମସ୍ତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ତାଲା ବନ୍ଦ ରହିବା ଏବଂ ବିଦ୍ୟାଳୟ ବନ୍ଦ ହେତୁ ପିଲାମାନେ ସାଧାରଣଭାବରେ ଅଳସୁଆ ହୋଇଯାଇଛନ୍ତି। ତେଣୁ ବିଦ୍ୟାଳୟ ଖୋଲିବା ପରେ ପିଲାଙ୍କୁ କିଭଳି ଭାବରେ ପୁଣିଥରେ ସକ୍ରିୟ କରିହବ ସେନେଇ ବିଶେଷଜ୍ଞ ମତ ରଖିଛନ୍ତି।
ସ୍ମାର୍ଟ ଫୋନ ଏବଂ ଟେଲିଭିଜନର ଦୀର୍ଘ ସମୟ ଏକ୍ସପୋଜର ପିଲାମାନଙ୍କର ଶାରୀରିକ ଏବଂ ମାନସିକ ଭାବରେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି। ଯେପରି ପିଲାଙ୍କ ଉପରେ ଶାରୀରିକ ଓ ମାନସିକ ଚାପ ନରହୁ। ଯାହା ସ୍କୁଲ ଖୋଲିବା ପରେ ଉକ୍ତ ଛାତ୍ର ଛାତ୍ରୀଙ୍କର ଶିକ୍ଷକମାନେ ସେମାନଙ୍କ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଅନେକ ସମୟରେ ପିଲାମାନେ ଘରେ ରହିଯାଇଥିବାରୁ ସ୍କୁଲ ଯିବା ପାଇଁ ଅମଙ୍ଗ ହୋଇପାରନ୍ତି। କିନ୍ତୁ ଏହାକୁ ସଫଳତା କରିବାକୁ ହେଲେ ଅନେକ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ଶିକ୍ଷକମାନେ ।
ଅନେକ ପିଲାମାନେ ସାଙ୍ଗମାନଙ୍କ ସହିତ ମିଶିବାର ସୁଯୋଗ ପାଇ ନଥିବାରୁ କ୍ଳାସ ରୁମରେ ସେମାନେ ନିରବରେ ରହିପାରନ୍ତି। ତେଣୁ ସେମାନଙ୍କୁ ଶିକ୍ଷକମାନେ ଭଲ ଭାବରେ ମିଶିବା ସହ ଅନ୍ୟ ପିଲାଙ୍କ ସହ ମିଶିବାକୁ ସୁଯୋଗ ଦେବା ଭଳି ମଧ୍ୟ କରିବା ଆବଶ୍ୟକ ପଡିଥାଏ। ତେଣୁ କିଭଳି ପିଲାମାନେ ସ୍କୁଲକୁ ଆସିବେ ତା ପୂର୍ବରୁ ପିଲାମାନଙ୍କୁ କାଉନସେଲିଂ କରିବା ଆବଶ୍ୟକ।
ସ୍କୁଲ ଖୋଲିବା ପୂର୍ବରୁ ପିଲାମାନଙ୍କୁ ବାହାରକୁ ବୁଲାଇବାକୁ ନେବା, ସାଙ୍ଗମାନଙ୍କ ଭିଡଓ କଲ ମାଧ୍ୟମରେ କଥା କରାଇବା। ପିଲାମାନଙ୍କୁ ବିରକ୍ତ ନକରିବା ଏବଂ ସଠିକ ସମୟରେ ଖାଇବା ଶୋଇବା ଏବଂ ଠିକ ସମୟରେ ବ୍ୟାୟାମ କରିବା ଆବଶ୍ୟକ। ନହେଲେ ପିଲାମାନେ ଅନେକ ସମୟରେ ମାନସିକ ଓ ଶାରୀରିକ ସ୍ତରରେ ଅସୁସ୍ଥ ହୋଇଯାଇଥାନ୍ତି । ଏପଟେ କରୋନା ଡର ଏବଂ ଦୀର୍ଘ ଦିନ ଧରି ସ୍କୁଲ ନଯିବା ଆଦି ଘଟଣା ଘଟିଥାଏ ବୋଲି ମନସ୍ତତ୍ୱବିତ ନମିତା ମହାନ୍ତି କହିଛନ୍ତି ।
ଅନ୍ୟପଟେ ଭୁବନେଶ୍ୱରର ସରକାରୀ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ଦଶମ ଶ୍ରେଣୀ କ୍ଳାସ କରାଯାଉଛି । ଯଦି ପ୍ରଥମରୁ 9 ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲେ ତେବେ ପିଲାଙ୍କୁ ସମସ୍ତ ସୁଵିଧା ଯୋଗାଇ ଦିଆଯିବ । ଶିକ୍ଷକମାନେ ଭଲ ଭାବରେ ପିଲାଙ୍କ ସହ ମିଶିଲେ ପାଠ ପଢ଼ାରେ ସାହାଯ୍ୟ କରିବେ ଏବଂ ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ଯେ ଯେତେବେଳେ ପିଲାମାନେ ସ୍କୁଲକୁ ଆସିବେ ସେହି ସମୟରେ ସେମାନଙ୍କୁ କାଉନସେଲିଂ କରାଯିବ । ଏହା ପୂର୍ବରୁ ଅଭିଭାବକମାନେ ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତ ରହିବା ଆବଶ୍ୟକ ଅଟେ । ପିଲାଙ୍କୁ ଦିନ ସାରା ସକ୍ରିୟ ରଖିବା ପାଇଁ ଶ୍ରେଣୀ ଗୃହରେ ଶିକ୍ଷକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।
ଏପଟେ ଅଭିଭାବକ ଶଙ୍କର ସାମନ୍ତରାୟ କହିଛନ୍ତି ଯେ ଦୀର୍ଘ 10 ମାସ ଧରି ସ୍କୁଲ ବନ୍ଦ ରହିଥିବା ବେଳେ ଏବେ ସ୍କୁଲ ଖୋଲିବା ପୂର୍ବରୁ ପିଲାଙ୍କୁ ବିଭିନ୍ନ ପ୍ରକାରର ଆକ୍ଟିଭିଟି କରାଯାଉଛି । ସକାଳ ସମୟରେ ପ୍ରାତଃ ଭ୍ରମଣ ସାଙ୍ଗମାନଙ୍କ ସହ କଥା କରାଯାଉଛି, ସେମାନଙ୍କର ଶିକ୍ଷକ ମାନଙ୍କ ସହ କଥା ହେଉଛନ୍ତି। କରୋନା ମହାମାରୀ ସମୟକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଅନ୍ତୁ ସେହିପାଇଁ ସମ୍ପୂର୍ଣ୍ଣ ରୂପେ ପିଲାଙ୍କୁ ଟ୍ରେନିଂ ଦିଆଯାଉଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ