ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପୁଣିଥରେ ବଦଳିଛି ସକାଳୁଆ ସ୍କୁଲ ସମୟ। ଏଣିକି ସକାଳ 7ରୁ ଅପରାହ୍ନ 12ଟା ପର୍ଯ୍ୟନ୍ତ ହେବ କ୍ଲାସ। ମାର୍ଚ୍ଚ 1ରୁ ସକାଳ 7ଟାରୁ ଛାତ୍ରଛାତ୍ରୀ ସ୍କୁଲ ଯିବା ନେଇ ନିଷ୍ପତ୍ତି ହୋଇଥିବାବେଳେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ଦେଖି ପୁଣିଥରେ ସ୍କୁଲର ସମୟ ସୀମା ବଦଳିଛି ।
ରାଜ୍ୟରେ କ୍ରମାଗତ ଭାବେ ବଢି ଚାଲିଛି ଗ୍ରୀଷ୍ମପ୍ରବାହ । ପୂର୍ବାହ୍ନ 11 ପରେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ । ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଆଜି(ମଙ୍ଗଳବାର) ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସକାଳ 7 ଟାରୁ 9ଟା ପର୍ଯ୍ୟନ୍ତ କ୍ଳାସ କରିବେ ଓ ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ 8ଟାରୁ 12ଟା ପର୍ଯ୍ୟନ୍ତ କ୍ଲାସ କରିବେ । ସମସ୍ତ ବିଦ୍ୟାଳୟରେ ନିରାପଦ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ଲାଗି ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ଏଥିସହ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ORS ଗଚ୍ଛିତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଯାହା ଆବଶ୍ୟକ ସମୟରେ ଛାତ୍ର ଏବଂ କର୍ମଚାରୀଙ୍କୁ ପ୍ରଦାନ କରାଯାଇପାରିବ । ଆବଶ୍ୟକ ସ୍ଥଳେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ପରିବହନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ପିଲାମାନଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ