ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କୁ ଭୁଲ ତଥ୍ୟ ଦେବା କୌଣସି ଉଦ୍ଦେଶ୍ୟ ନଥିଲା । କିମ୍ବା ଅନ୍ୟ କୌଣସି ଘଟଣାକୁ ନେଇ ଏହା କରାଯାଇନଥିଲା । ବରଂ ଅନିଛାକୃତ ତ୍ରୁଟି ପାଇଁ ଏମିତି ହୋଇଛି । ଏହି ତ୍ରୁଟି ପାଇଁ ବଣ୍ଟନ ହୋଇଥିବା ପତ୍ରିକାକୁ ପ୍ରତ୍ୟାହାର କରାଯାଇଛି । ଜଣଙ୍କୁ ସେବା ନିବୃତ୍ତି ସହ 2ଜଣଙ୍କୁ ଏ ସମ୍ପର୍କରେ କୈଫତ ମଗାଇଛି।
ପୁସ୍ତିକାର ଏଭଳି ତ୍ରୁଟିକୁ ସଂଶୋଧନ କରି ପୁନଃ ମୁଦ୍ରଣ କରି ଏକ ମାସ ମଧ୍ୟରେ ବଣ୍ଟନ କରାଯିବ । ଆଜି ଏମିତି ଢଙ୍ଗରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାରେ ବିବୃତ୍ତି ରଖିଛନ୍ତି। ଗାନ୍ଧୀଜିଙ୍କ 150 ତମ ଜନ୍ମ ଶତବାର୍ଷିକ ଅବସରରେ ଏହା ବଣ୍ଟନ କରାଯାଇଥିଲା । ଗଣଶିକ୍ଷା ବିଭାଗ ଏହାର ଦାୟିତ୍ବ ନେଇଥିଲା ଏହା କୌଣସି ପୁସ୍ତକ ନଥିଲା ଏକ ବ୍ରୋଚର ଥିଲା ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରସ୍ତୁତ ଏକ ବ୍ରୋଚରରେ ବାପୁଙ୍କ ମୃତ୍ୟୁକୁ ଆକସ୍ମିକ ଦୁର୍ଘଟଣା ଜନିତ ବୋଲି ଦର୍ଶାଯାଇଛି । ଯାହାକୁ ନେଇ ବିରୋଧୀ କଂଗ୍ରେସ ସମେତ ଶାସକ ଦଳର ବିଧାୟକ ଜୋରଦାର ପ୍ରତିବାଦ କରିଥିଲେ । ଏହାକୁ ନେଇ ବାଚସ୍ପତି ଗୃହରେ ଉତ୍ତର ରଖିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ରୁଲିଂ ଦେଇଥିଲେ।
ଭୁବନେଶ୍ବରରୁ ଅଜିତ ଦାଶ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ