ଭୁବନେଶ୍ବର: ନିଜ ବିଦ୍ୟାଳୟ ନାଁ କହି ପାରୁନାହାଁନ୍ତି ଛାତ୍ରଛାତ୍ରୀ । କେଉଁ ଶ୍ରେଣୀରେ ପଢୁଛନ୍ତି ତା ବି ଇଂରାଜୀରେ କହି ପାରୁନାହାଁନ୍ତି। ଏମିତିକି ନିଜ ଜିଲ୍ଲାର ନାଁ ବି ମାଲୁମ ନାହିଁ। ଗଣଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏପରି କିଛି ବାସ୍ତବ ଚିତ୍ର। ଯାହା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଗସ୍ତ ସମୟରେ ପଦାରେ ପଡିଛି ।
କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଭବାନୀପାଟଣା କର୍ଲାଗୁଡା ପ୍ରାଥମିକ ବିଦ୍ୟାଳୟ ଓ ବିମ୍ବାଧର ସରକାରୀ ହାଇସ୍କୁଲ ପରିଦର୍ଶନ କରିଥିଲେ ଗଣମନ୍ତ୍ରୀ ସମୀର ଦାଶ । ଗସ୍ତ ଅବସରରେ ମନ୍ତ୍ରୀ, ପିଲାଙ୍କ ସହ ଆଲୋଚନା କରିବା ସମୟରେ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ।
ସେପଟେ ପିଲାଙ୍କ ଏପରି ଇଂରାଜୀ ଦକ୍ଷତା ଦେଖି ବିମ୍ବାଧର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଦୁଇଜଣ ଇଂରାଜୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଫେବୃଆରୀର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ କର୍ଲାଗୁଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଏହି ଗସ୍ତ ସମୟରେ ସେ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଗଣ ଶିକ୍ଷାମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ 103ଟି ପରୀକ୍ଷା କେନ୍ଦ୍ର ଓ 23ଟି ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ର କରାଯାଇଛି। ଏଥିସହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଥିବାବେଳେ ପରୀକ୍ଷାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ମନ୍ତ୍ରୀ ଶିକ୍ଷାର ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ଜିଲ୍ଲାର ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଗୁଡିକରେ ଥିବା ସମସ୍ୟା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଅନ୍ୟପଟେ ଜିଲ୍ଲାର ଉନ୍ନତ ଉଚ୍ଚ ବିଦ୍ୟାଳୟରେ ଥିବା ଶିକ୍ଷକ ସମସ୍ୟାକୁ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀ ସମାଧାନ କରିବାକୁ ମନ୍ତ୍ରୀ କହିଛନ୍ତି । ଏହାସହ ଡିଇଓ, ବିଇଓ, ଏବିଇଓ ଏବଂ ସିଆରସିସିଙ୍କୁ ସ୍କୁଲ ମନିଟରିଂ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହିତ ମାଟ୍ରିକ ପରୀକ୍ଷା ପରିଚାଳନାରେ କୌଣସି ତ୍ରୁଟି ଦେଖାଦେଲେ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଓ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ତାଗିଦ କରିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ