ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ମାର୍ଗରେ ପିସିସି ପକ୍ଷରୁ କରାଯାଇଛି ସତ୍ୟାଗ୍ରହ । କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେପରି ଭାବରେ ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲଡ ମାମଲାରେ ବାରମ୍ବାର ଜେରା କରିବାକୁ ଡାକି ନିର୍ଯାତନା ଦେଉଛନ୍ତି ତାହାର ପ୍ରତିବାଦ କରିଛି କଂଗ୍ରେସ । ଏନେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପିସିସି ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଏହି ସତ୍ୟାଗ୍ରହରେ ସାରା ରାଜ୍ୟର ବହୁ କଂଗ୍ରେସ ନେତୃବର୍ଗ, ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ମହାତ୍ମା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ସଭାସ୍ଥଳୀରେ ଯୋଗଦାନ କରିଥିଲେ ।
ତେବେ ନରେନ୍ଦ୍ର ମୋଦି ସରକାର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏବଂ ବିଶେଷ କରି କଂଗ୍ରେସ ଦଳକୁ ଜନମାନସରେ ନିନ୍ଦିତ କରିବାପାଇଁ ଭାରତ ବର୍ଷର ସ୍ୱାଧୀନ ସଂସ୍ଥାମାନଙ୍କୁ ଅପ ବ୍ୟବହାର କରି ରାଜନୈତିକ ଫାଇଦା ହାସଲ କରିବାପାଇଁ ଚେଷ୍ଟା ଚଳାଇଛନ୍ତି । ଶାସନ କ୍ଷମତାକୁ ଆସିବା ପୂର୍ବରୁ ଭାରତବର୍ଷର ଜନଗଣଙ୍କୁ ଯେଉଁ ପୂଳା ପୂଳା ପ୍ରତିଶ୍ରୁତି ଦେଇଥିବା ବେଳେ ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିବାରେ ନରେନ୍ଦ୍ର ମୋଦି ସରକାର ସକ୍ଷମ ହେଲେ ନାହିଁ । ଏହାକୁ ନେଇ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଆଦିର ଅହେତୁକ ଦରବୃଦ୍ଧି, ବେରୋଜଗାରୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, କୃଷକ ଓ କୃଷି କ୍ଷେତ୍ରର ସମସ୍ୟା, ଆଦିବାସୀ ପଛୁଆ ବର୍ଗଙ୍କର ବିକାଶ, ପ୍ରବାସୀ ଶ୍ରମିକ ମାନଙ୍କର ସମସ୍ୟାକୁ ସମାଧାନ କରିବାରେ ମୋଦି ସରକାର ବିଫଳ ।
ଖାଲି ସେତିକି ନୁହେଁ ସରକାର ଗରିବ ଖଟିଖିଆ, ଚାଷୀ, ସାଧାରଣ ବର୍ଗ ଏବଂ ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗ ବଞ୍ଚିବା ପାଇଁ ନିର୍ଭର କରୁଥିବା ଚୂଡ଼ା, ଅଟା, ଚାଉଳ, ଚୂନା, ଖଇ, ଉଖୁଡ଼ା, ଦହି, ମୁଆଁ, ଲହୁଣି, ଗୁଡ଼ ଇତ୍ୟାଦି ଉପରେ ୫% ଜିଏସ୍ଟି ଆଦାୟ କରିବାକୁ ଭୁଲିଲେ ନାହିଁ । ଏପରିକି ଚିକିତ୍ସାଧୀନ ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ଔଷଧ, ତୁଳା, ଗଜ, ସୂତା, ଛୁଞ୍ଚି ଇତ୍ୟାଦି ଉପରେ ୫% ରୁ ୧୮% ପର୍ଯ୍ୟନ୍ତ ଜିଏସ୍ଟି ଆଦାୟ କରୁଛନ୍ତି । ବେରୋଜଗାରୀ ଆଜି ସର୍ବୋଚ୍ଚ ସୀମାରେ ପହଁଞ୍ଚିଛି । ୪୨ କୋଟିରୁ ଅଧିକ ଆଜି ଦାରିଦ୍ର ଭିତରକୁ ଠେଲି ହୋଇଯାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
‘ମୁଦ୍ରାସ୍ଫୀତି ଗତ ୫ମାସ ଧରି ୭%ରୁ ଅଧିକ ରହିଛି । ବାଣିଜ୍ୟକ ନିଅଣ୍ଟ ଆଜି ଚରମ ସୀମାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଦୃତ ଗତିରେ ହ୍ରାସ ପାଉଛି । ଏପରିକି ଗୋଟେ ଡଲାରର ମୂଲ୍ୟ ଆଜି ୮୦ଟଙ୍କା ଅତିକ୍ରମ କରିସାରିଛି । ଏସବୁ ସମସ୍ୟାକୁ ନେଇ ଯେତେବେଳ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଭିତରେ ଓ ବାହାରେ ସରକାରଙ୍କର ନୀତି ଓ ନିଷ୍ପତିକୁ କଡ଼ା ସମାଲୋଚନା କରିଲେ ଇଡି, ସିବିଆଇ ଓ ଆଇଟିର ଭୟ ଦେଖାଇ ସେମାନଙ୍କର ମୁଁହ ବନ୍ଦ କରିବାପାଇଁ ଚେଷ୍ଟା ଚଳାଇଛନ୍ତି ’ବୋଲି ପିସିସି ସଭାପତି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର