ଭୁବନେଶ୍ବର: ସୋସିଆଲ ମିଡିଆରେ ଦୁର୍ନୀତି ସମ୍ପର୍କରେ ପୋଷ୍ଟ କରିବାରୁ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ ଏକ ଦଳିତ ପରିବାର ଉପରେ ସେହି ପଞ୍ଚାୟତର ସରପଞ୍ଚଙ୍କ ନିର୍ଦ୍ଦେଶରେ ମରଣାନ୍ତକ ଆକ୍ରମଣ ଘଟଣା ଓ ଏତଲାର 13 ଦିନ ପରେ ମଧ୍ୟ ଆଳି ପୋଲିସର ପକ୍ଷପାତିତା, ନିସ୍କ୍ରିୟତା ପ୍ରତିବାଦରେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା । ଏହି ପ୍ରସଙ୍ଗରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ ।
ଅଭିଯୋଗ ଅନୁସାରେ ଆଳି ଥାନା ଅନ୍ତର୍ଗତ ବାଳକାଟୀ ପଞ୍ଚାୟତର ନବ କିଶୋର ମଲ୍ଲିକଙ୍କ ପୁଅ ହରିଶ୍ଚନ୍ଦ୍ର ମଳିକ ନିଜ ପଞ୍ଚାୟତରେ ହେଉଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ସୋସିଆଲ ମିଡିଆରେ ଖୁଲାସା କରିବା ସହ ବିଭିନ୍ନ ପୋଷ୍ଟ କରୁଥିଲେ । ସେଥିପାଇଁ ପୁଅ ହରିଶ୍ଚନ୍ଦ୍ର ଘରେ ନ ଥିବାବେଳେ ଉକ୍ତ ପଞ୍ଚାୟତର ସରପଞ୍ଚ ଦିବାକର ନାୟକଙ୍କ ଇଙ୍ଗିତରେ ଓ ତାଙ୍କ ପ୍ରତ୍ଯକ୍ଷ ଉପସ୍ଥିତିରେ ସରପଞ୍ଚଙ୍କ ପୁଅ ଓ ଅନ୍ଯ କିଛି ସହଯୋଗୀ ନବ କିଶୋରଙ୍କ ଘରେ ପଶି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ନବଙ୍କୁ ଉଦ୍ଧାର କରିବାକୁ ଆସି ସାନ ଭାଇ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏହି ଘଟଣାରେ ନବ ମଳିକଙ୍କ ପରିବାର ସ୍ଥାନୀୟ ଆଳି ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ ଶାସକ ଦଳର ହାତବାରିସି ସାଜି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛି ବିଜେପି । ଆକ୍ରମଣକାରୀମାନେ ଶାସକ ବିଜେଡ଼ି ସମର୍ଥକ ହୋଇଥିବାବେଳେ ଆଳି ବିଧାୟକ ତଥା ବିଜେଡ଼ି ନେତା ପ୍ରତାପ ଦେବ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି ।
ଘଟଣା ବିଷୟରେ ଜାଣିବା ପରେ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ପୀଡିତ ପରିବାର ସହ ଆଲୋଚନା କରିଛି । ଘଟଣା ପରେ ପୀଡିତ ପରିବାର ଜୀବନ ପ୍ରତି ବିପଦ ଥିବା ଭୟରେ ଗାଁ ଛାଡି ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟପଟେ ସ୍ଥାନୀୟ ଆଳି ଥାନାର IIC ପୀଡିତ ପରିବାରଙ୍କୁ ସୁରକ୍ଷା ଦେଇ ନ ଥିବାବେଳେ ଏବେ ଯାଏଁ ଆକ୍ରମଣକାରୀଙ୍କୁ ଗିରଫ କରିନାହାନ୍ତି । ତେବେ ଏହାକୁ ପ୍ରତିବାଦ କରି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡା ଏସପି ଅଫିସ ସମ୍ମୁଖରେ 3 ଦିନ ଗଣଧାରଣା ଦିଆଯିବ ବୋଲି କହଛି ବିଜେପି । ଯଦି ଏଘଟଣାରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପୀଡିତ ପରିବାରକୁ ନ୍ୟାୟ ନଦିଏ, ତେବେ ଏହାକୁ ରାଜ୍ୟ ସ୍ତରରେ ମଧ୍ୟ ଆନ୍ଦୋଳନ ହେବ ବୋଲି ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ତରାଇ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ