ଭୁବନେଶ୍ବର: ସାରା ଦେଶ ଗୁରୁବାର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 144ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ସ୍ବାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀକୁ 'ରାଷ୍ଟ୍ରୀୟ ଏକତା ଦିବସ' ଭାବେ ପାଳନ କରୁଛି ଦେଶ । ଏହି ଅବସରରେ ସାରା ଦେଶରେ ଏହି ଦିନ ରାଷ୍ଟ୍ରୀୟ ଏକତା ଦୌଡ ଆରମ୍ଭ ହୋଇଛି । ରାଜ୍ୟ ରାଜଧାନୀ ଭୁବନେଶ୍ବରେ ମଧ୍ୟ ଏହି ରାଷ୍ଟ୍ରୀୟ ଏକତା ଦୌଡ ଆରମ୍ଭ ହୋଇଛି ।
ଏହି ରାଷ୍ଟ୍ରୀୟ ଏକତା ଦୌଡକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ । ଏହି ଦୌଡ କାର୍ଯ୍ୟକ୍ରମ ସ୍ଥାନୀୟ ରେଲୱେ ଷ୍ଟାଡିୟମରୁ ବାହାରି କଳିଙ୍ଗ ହସ୍ପିଟାଲ ଦେଇ ରେଳ ଅଡ଼ିଟୋରିୟମରେ ଶେଷ ହୋଇଥିଲା । ପରେ ରେଳ ଅଡିଟୋରିୟମରେ ଆୟୋଜିତ 'ରନ ଫର୍ ୟୁନିଟି' ସମ୍ବୋଧନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ ଯେ, ସେ ଦେଶର ପ୍ରଥମ ଗୃହମନ୍ତ୍ରୀ ହେବା ସହ ଭାରତ ସ୍ଵାଧୀନତା ଲାଭ ପରେ ଦେଶରେ ଥିବା 565ଟି ଦେଶୀୟ ରାଜ୍ୟ ଗୁଡିକୁ ଭାରତରେ ମିଶାଇବାରେ ଶ୍ରେଷ୍ଠ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ଗୋଟିଏ ଦେଶୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀରକୁ ଭାରତରେ ମିଶ୍ରଣ କରିବାର ଦାୟିତ୍ବ ନେଇଥିଲେ ଯାହାକୁ କରିବାକୁ ତାଙ୍କୁ 70 ବର୍ଷ ସମୟ ଲାଗିଥିଲା ।
ଗତ ଅଗଷ୍ଟ 5 ତାରିଖରେ ସମ୍ବିଧାନରୁ ଧାରା 370କୁ ଅସ୍ଥାୟୀ ଭାବେ ହଟାଯିବା ସହିତ ସେଠାରେ ଗୋଟିଏ ଦେଶର ଗୋଟିଏ ଆଇନ ଲାଗୁ ପାଇଁ ପଦକ୍ଷେପ ନିଆଯାଇଥିଲା । ଯାହା ଗୁରୁବାର ମଧ୍ୟରାତ୍ରିରୁ କାର୍ଯ୍ୟକାରୀ ହୋଇଛି । ଭାରତ ଜନସାଧାରଣଙ୍କ ପାଇଁ ଏକ ବଡ଼ ଖୁସିର ଖବର । କିନ୍ତୁ ତାଙ୍କୁ ଯେପରି ସମ୍ମାନ ମିଳିବା କଥା ସେତେବେଳର ଇତିହାସକାର ତାଙ୍କୁ ଦେଇନଥିଲେ । କିନ୍ତୁ ଆଜିର ଦିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମ୍ମାନ ସେମାନଙ୍କୁ ପ୍ରଦାନ କରିଛନ୍ତି । ତେଣୁ ତାଙ୍କର ଜନ୍ମ ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିବା ସହ ଏକ ଭାରତ ଶ୍ରେଷ୍ଠ ଭାରତ ଗଠନରେ ସାମିଲ ହେବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ତେବେ ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ, ବହୁ ବିଶିଷ୍ଟ କ୍ରୀଡାବିତ୍ ଯଥା ପଦ୍ମଶ୍ରୀ ଶରତ କମଳ, ଦୀପିକା କୁମାରୀ, ହିନା ସିନ୍ଧୁ, ଅଙ୍କୁର ମିତ୍ତଲ, ଚଳଚ୍ଚିତ୍ର ତାରକା ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ସହ ବହୁ ଅଧିକାରୀମାନେ ଯୋଗ ଦେଇଥିଲେ । ନେହେରୁ ଯୁବା କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ସଂଗଠନର ମୁଖ୍ୟ ଅଭିଜିତ ବୋଷ ସଂଯୋଜନା କରିଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ