ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ। ବାଗଦେବୀ ମା' ସରସ୍ବତୀଙ୍କ ଜନ୍ମଦିନ । ମାଙ୍କ ଆରାଧନା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ରାଜଧାନୀ । ଘରଠାରୁ ଶିକ୍ଷାନୁଷ୍ଠାନ ସବୁଠି ମା'ଙ୍କ ପୂଜାର୍ଚ୍ଚନା ଧୁମଧାମରେ ଚାଲିଛି ।
ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ଵତୀ । ଆଉ ବିଦ୍ୟାଳୟ ହେଉଛି ବାଣୀବିଦ୍ୟାର ସାଧନ କେନ୍ଦ୍ର । ସରସ୍ବତୀ ପୂଜା ୟୁନିଟ ୮ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଏହାକୁ ବେଶ ଆକର୍ଷଣୀୟ ରୂପରେ ପାଳନ କରାଯାଇଛି । ସକାଳ 6ଟା ଠାରୁ ଗାଧୁଆ ପାଧୁଆ ସାରି ଫଳପୁଷ୍ପ ଧରି ଆସି ସ୍କୁଲରେ ପହଞ୍ଚି ଯାଇଥିଲେ ପିଲାମାନେ । ନିଜେ ଆଣି ଥିବା ସରସ୍ବତୀଙ୍କ ମୂର୍ତ୍ତିକୁ ଶତାଧିକ ପିଲାମାନେ ବ୍ୟକ୍ତିଗତଭାବେ ଶୁଦ୍ଧପୂତ ଭାବରେ ବୈଦିକ ରୀତିରେ ପୂଜନ କରିବା ସହିତ ଧୂପଦୀପ ଦେଇ ଆଳତୀ କରିଥିଲେ ।
ଶିକ୍ଷାନୁଷ୍ଠାନ ପରିସର ଭକ୍ତିମୟ ହୋଇ ଉଠିଥିଲା । ଯାହାକି ଓଡ଼ିଶାର ଅନ୍ୟ କୌଣସି ବିଦ୍ୟାଳୟ କିମ୍ବା ଅନୁଷ୍ଠାନମାନଙ୍କର ଦେଖିବାକୁ ମିଳିନଥାଏ । ଏଥିରେ ଭାଗନେଇ ମାଙ୍କୁ ଆରାଧନା କରିବା ସହିତ ନିଜ ପାଇଁ ମାଙ୍କ ନିକଟରେ ଭଲ ବୁଦ୍ଧି ବିଦ୍ୟା ମାଗିଥିବା କହିଛନ୍ତି ଛାତ୍ରଛାତ୍ରୀ । ଆଗକୁ ଦଶମ ଶ୍ରେଣୀ ପରୀକ୍ଷା ଆସୁଥିବାରୁ ସମସ୍ତେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାକୁ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ