ଭୁବନେଶ୍ବର: ଭାରତୀୟ ରେଳପଥ ଟ୍ରାଫିକ୍ ସେବାର ୧୯୮୫ ବ୍ୟାଚର ବରିଷ୍ଠ ଅଧିକାରୀ ସଂଜୟ କୁମାର ମହାନ୍ତି ହେଲେ ନୂଆଦିଲ୍ଲୀସ୍ଥ ରେଳ ମନ୍ତ୍ରଣାଳୟର ରେଲୱେ ବୋର୍ଡ଼ର ନୂଆ ମେମ୍ବର। ନୂଆଦିଲ୍ଲୀସ୍ଥ ରେଲୱେ ବୋର୍ଡ଼ରେ ପ୍ରମୁଖ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଟ୍ରାଫିକ୍ ପରିବହନ), ପୂର୍ବ ତଟ ରେଳପଥରେ ବଳିଷ୍ଠ ଉପମହାପ୍ରବନ୍ଧକ ଓ ମୁଖ୍ୟ ସତର୍କତା ଅଧିକାରୀ, ମୁଖ୍ୟ ପରିବହନ ଯୋଜନା, ପ୍ରବନ୍ଧକ ଏବଂ ମୁଖ୍ୟ ପଣ୍ୟ ପରିବହନ ପ୍ରବନ୍ଧକ, ଭୁବନେଶ୍ୱର ଆଇ.ଆର୍.ସି.ଟି.ସି.ର ଆଞ୍ଚଳିକ ମହାପ୍ରବନ୍ଧକ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଇତ୍ୟାଦି ଭାରତୀୟ ରେଳପଥର ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ସେ କାର୍ଯ୍ୟ କରିଛନ୍ତି ।
ତାଙ୍କ ସମୟରେ ପଣ୍ୟ ପରିବହନ କ୍ଷେତ୍ରରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡନ ଭାରତୀୟ ରେଳପଥରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବା ଥିଲା ଶ୍ରୀ ମହାନ୍ତିଙ୍କର ସବୁଠୁ ବଡ଼ ସଫଳତା । ଶ୍ରୀ ମହାନ୍ତି ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ଡିଗ୍ରୀ ହାସଲ କରି ଭାରତୀୟ ରେଳପଥରେ ଯୋଗଦାନ କରି ମୁମ୍ବାଇ, ନାଗପୁର, ଝାନ୍ସି ଏବଂ କୋଙ୍କୋଣ ରେଳପଥର ବହୁ ଉଚ୍ଚ ପଦପଦବୀରେ କାର୍ଯ୍ୟ କରିଛନ୍ତି । ଏବଂ ସେ ପ୍ରଶାସନରେ ଅଭିନବୀକରଣ ଏବଂ ପ୍ରଣାଳୀ ଗଠନ କରିବାରେ ଦକ୍ଷତା ଅର୍ଜନ କରିଛନ୍ତି ।
ସଂଜୟ ମହାନ୍ତି ହେଉଛନ୍ତି ବାଲେଶ୍ୱରର ସୁପରିଚିତ ଆଡ଼ଭୋକେଟ କୃଷ୍ଣ ପ୍ରସାଦ ମହାନ୍ତିଙ୍କର କନିଷ୍ଠ ସନ୍ତାନ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ