ଭୁବନେଶ୍ବର: ମଣିଷ ତାର ସାରା ଜୀବନ ଅନୁଭୂତି ସାଉଁଟେ । ସୁଖ, ଦୁଃଖ, ହସ, ଲୁହ, ପ୍ରତିବାଦ ଓ ବିରୋଧାଭାସ ଭିତରେ ସେ ବଞ୍ଚେ । କେଉଁ ଏକ ଆବେଗିକ ମୁହୂର୍ତ୍ତରେ ସେସବୁ ସୃଜନାତ୍ମକ ଶୈଳୀରେ ଲେଖା ଆକାରେ ଝରିପଡ଼େ । ସେମିତି ଏକ ପ୍ରବାହ କବିତା । ଏକା ସଙ୍ଗେ, ଏକାଠି ବସି, ଅନେକ ଲୋକଙ୍କ କବିତା ଶୁଣିଲେ, ମନ ହାଲକା ହୋଇଯାଏ ବୋଲି ସାହିତ୍ୟିକ ଶାନ୍ତନୁ ସର କହିଛନ୍ତି । ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ ଓ ଅନୁଗୁଳ ସମ୍ବାଦ ସାହିତ୍ୟ ଘର ତରଫରୁ ଆୟୋଜିତ ‘ଶବ୍ଦାଞ୍ଜଳି’ରେ ଶାନ୍ତନୁ ସର ଏହା ପ୍ରକାଶ କରିଛନ୍ତି । ସାହିତ୍ୟ ସହିତ କିଛି ମୁହୂର୍ତ୍ତ ବିତାଇବା ପାଇଁ ଭାରତୀୟ ଜନ ସଂଚାର ସଂସ୍ଥାନ ଢେଙ୍କାନାଳ ନିୟମିତ ଭାବରେ ଶବ୍ଦାଞ୍ଜଳୀ ଆୟୋଜନ କରିଆସୁଛି । ଏଥିରେ ସଂସ୍ଥାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ରାଜ୍ୟର ପ୍ରତିଷ୍ଠିତ ଲେଖକମାନେ ମଧ୍ୟ ଯୋଗ ଦେଇଥାନ୍ତି ।
ଏହି ଅବସରରେ ସାହିତ୍ୟିକ ମୃଣାଳଙ୍କ ଅନୁବାଦ କବିତା ସଙ୍କଳନ ‘ଶବ୍ଦାଞ୍ଜଳି’ ଉନ୍ମୋଚିତ ହୋଇଛି । ଏଥିରେ ଗୁଲଜାର, ଜାଭେଦ ଅଖତରଙ୍କ ପରି ପ୍ରସିଦ୍ଧ କବିମାନଙ୍କର କବିତା ସ୍ଥାନ ପାଇଛି । ଶାନ୍ତନୁ ଏହାକୁ ଉନ୍ମୋଚନ କରି କବିଙ୍କର ସରଳ ଶବ୍ଦ ସଂଯୋଜନା ଓ ମାର୍ମିକ ଅନୁବାଦକୁ ପ୍ରଶଂସା କରିଥିଲେ । ବହି ବିଷୟରେ ସୂଚନା ଦେଇ ମୃଣାଳ ଚାଟାର୍ଜୀ କହିଥିଲେ, ଅନେକ ସମୟରେ କିଛି କିଛି କବିତା ମନକୁ ଆନ୍ଦୋଳିତ କରେ । ତେଣିକି ସେ ଯେ କୌଣସି ଭାଷାରେ ହେଉନା କାହିଁକି । ତେଣୁ ତାକୁ ଅନୁବାଦ କରିଦେଲେ ଅନ୍ୟ ଭାଷାର ପାଠକମାନେ ସେପରି ସୃଷ୍ଟିକୁ ପଢ଼ି ପାରିବେ । ଯାହା ସାରସ୍ୱତ ସଂସାର ପାଇଁ ଭଲ । ‘ଶବ୍ଦାଞ୍ଜଳି’ ସେଇପରି ଏକ ଉଦ୍ୟମ ମାତ୍ର । ଦୀପ୍ତିମୟୀ ବିଶ୍ୱାଳଙ୍କ ଅନୁବାଦ କବିତା ପୁସ୍ତକ ‘ମଧୁଶାଳା’କୁ ସାହିତ୍ୟିକା ରମା ସାହୁ ଉନ୍ମୋଚନ କରି ଆଲୋଚନ କରିଥିଲେ । ପୁସ୍ତକଟି ହରିବଂଶ ରାୟ ବଚନଙ୍କ ପୁସ୍ତକର ଅନୁବାଦ ।
କାର୍ଯ୍ୟକ୍ରମରେ ଆଇଆଇଏମସିର ଅନେକ ଛାତ୍ରଛାତ୍ରୀ ଏବଂ ସମ୍ବାଦ ସାହିତ୍ୟ ଘର ଅନୁଗୁଳର ଲେଖକମାନେ ନିଜ ଲିଖିତ କିମ୍ବା ଅନ୍ୟ ପ୍ରସିଦ୍ଧ କବିମାନଙ୍କର କବିତା ଆବୃତ୍ତି କରିଥିଲେ । ଆଇଆଇଏମ୍ସିର ଛାତ୍ରୀ ମୋନାଲି ସାହୁ ଓ ମନୀଷା ଦାସ, ଅନୁଗୁଳ ସାହିତ୍ୟ ଘରର ସଦସ୍ୟ ବୈରାଗୀ ମଲ୍ଲିକ ଓ ମନୋଜ କୁମାର ବେହେରା କବିତା ଆସରକୁ ସଂଯୋଜନା କରିଥିଲେ । ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଏକାଡେମିକ ଆସିଷ୍ଟାଣ୍ଟ୍ ପଦ୍ମଲୋଚନ ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ