ଭୁବନେଶ୍ବର: ଶୁକ୍ରବାର ପଶ୍ଚିମ ଓଡି଼ଶାରେ କୋଭିଡ଼ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ପଶ୍ଚିମ ଓଡି଼ଶାରେ କୋଭିଡ଼ ମୁକାବିଲା ଲାଗି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ମୁଖିଆ । ପଶ୍ଚିମ ଓଡି଼ଶାରେ କୋଭିଡ଼ ମୁକାବିଲା ଲାଗି ଆହୁରି 25 କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ 25 କୋଟି ଟଙ୍କାର ଜରୁରୀକାଳୀନ କୋଭିଡ ଉପକରଣକୁ ଉତ୍ସର୍ଗ କରାଯାଇଛି । ଗତ ମାସରେ ପଶ୍ଚିମ ଓଡି଼ଶାର ୧୧ଟି ଜିଲ୍ଲା ପାଇଁ ଏହି ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ସହାୟତା ରାଶିରେ ସମସ୍ତ ଜରୁରୀକାଳୀନ କୋଭିଡ ଉପକରଣ କିଣା ଯାଇଛି ।
ଏହି ଅର୍ଥ ଦ୍ବାରା ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ନୂଆପଡ଼ା, ଝାରସୁଗୁଡ଼ା, ବୌଦ୍ଧ, ସୁବର୍ଣ୍ଣପୁର, ଦେବଗଡ଼ ଓ ଅନୁଗୋଳରେ ସମସ୍ତ ଜରୁରୀକାଳୀନ କୋଭିଡ ଉପକରଣ କିଣାଯାଇଛି । ଭେଣ୍ଟିଲେଟର, ଅକ୍ସିଜେନ୍ ପାଇପ ଲାଇନ, ଅଟୋଆନାଲାଇଜର, ସିବିସି ମେସିନ୍, ଅକ୍ସିମିଟର ଆଦି ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଅତିରିକ୍ତ ଅର୍ଥ ବ୍ୟବସ୍ଥା ଦ୍ବାରା ଜିଲ୍ଲାଗୁଡି଼କରେ କୋଭିଡ ଭିତ୍ତିଭୂମି ଆହୁରି ସୁଦୃଢ଼ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଖୁବଶୀଘ୍ର ଏ ସଂକଟରୁ ମୁକ୍ତ ହେବୁ । ପଶ୍ଚିମ ଓଡି଼ଶାରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ, ମୁଖ୍ୟମନ୍ତ୍ରୀ ଏହାର ସବୁ ଶ୍ରେୟ ପଶ୍ଚିମ ଓଡି଼ଶାର ଜନସାଧାରଣଙ୍କୁ ଦେଇଛନ୍ତି । ଆଗଧାଡି଼ରେ ରହି କାମ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡୀ ଓ ଆଶାକର୍ମୀ ସମସ୍ତଙ୍କୁ ଶ୍ରେୟ ଦେଇ ସେମାନଙ୍କ ତ୍ୟାଗ ଓ ପରିଶ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ଆଶା ପୋଷଣ କରିଛନ୍ତି ।
ପଶ୍ଚିମ ଓଡି଼ଶା ବିକାଶ ପରିଷଦ, ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ପଶ୍ଚିମ ଓଡି଼ଶାର ବିକାଶ ପରିଷଦ ଯେପରି ଅଧିକ ବିକାଶ କାମ କାର୍ଯ୍ୟକାରୀ କରିପାରିବ, ସେଥିପାଇଁ ଅଧିକ ପାଣ୍ଠି ଦିଆଯାଉଛି । ବିକାଶ ପରିଷଦ ଏହାର ଦାୟିତ୍ବ ସଫଳତାର ସହ ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ଅକ୍ସିଜେନ ଯୋଗାଣରେ ଓଡି଼ଶା ନୂଆ ପରିଚୟ ସୃଷ୍ଟି କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି । ଏ ସଙ୍କଟ ସମୟରେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ - ଏହା ଆମର ସିଦ୍ଧାନ୍ତ ବୋଲି ପ୍ରକାଶ କରି ପ୍ରତ୍ୟେକ ଲୋକ ଯେପରି ଉତ୍ତମ ଚିକିତ୍ସା ସେବା ପାଇପାରିବ ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟର ବିଭିନ୍ନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ସାଂସଦ ଓ ବିଧାୟକ ଉପସ୍ଥିତ ରହିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପି.କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ