ଭୁବନେଶ୍ବର: ସଙ୍ଘ ବିଷୟରେ ନ ଜାଣିଥିବା ବ୍ୟକ୍ତିମାନେ ପ୍ରଥମେ ସଙ୍ଘ ସହିତ ମିଶନ୍ତୁ । ସେମାନଙ୍କ ପରିବାର, କାର୍ଯ୍ୟଶୈଳୀ ଓ ବ୍ୟବହାର ସମ୍ପର୍କରେ ଜ୍ଞାନ ଆହରଣ କରନ୍ତୁ । ଯଦି ଏହାର କାର୍ଯ୍ୟ ଭଲ ଲାଗେ ତେବେ ସମାଜ ଗଠନ ଦିଗରେ ବ୍ରତୀ ହୋଇପାରନ୍ତି ନଚେତ ନିଜ ଜୀବନରେ ଏହାକୁ ଅନୁସରଣ କରି ସଫଳ ହେବାକୁ ଚେଷ୍ଟା କରିପାରନ୍ତି ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତ ଭୁବନେଶ୍ବରର ବୁଦ୍ଧିଜୀବୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ।
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ପ୍ରାରମ୍ଭ ପୂର୍ବରୁ ରାଜଧାନୀଠାରେ ଆୟୋଜିତ ବିଶିଷ୍ଟ ନାଗରିକ ସମ୍ମିଳନୀରେ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ ସମ୍ବୋଧିତ କରି ଭାଗବତ କହିଛନ୍ତି କି, "ସଙ୍ଘ ଏକ ସ୍ବତନ୍ତ୍ର ଅନୁଷ୍ଠାନ ଅଟେ । ଏହା ବିଷୟରେ ଜାଣିବାକୁ ବାହାରୁ ଦେଖି କିଛି କହିହେବ ନାହିଁ । ଅନେକ ସମୟରେ ଏହାକୁ ବୁଝିବାକୁ ବହୁତ କଠିନ ମଧ୍ୟ ହୋଇଥାଏ । ତେଣୁ ଏହା ବିଷୟରେ ଜାଣିବାକୁ ହେଲେ ସଙ୍ଘର ସଦସ୍ୟ, ସେମାନଙ୍କ ପରିବାର ସହିତ ମିଶିବାକୁ ହେବ । ସେମାନଙ୍କ ଆଚରଣ ଓ ବ୍ୟବହାର ପ୍ରତି ଦୃଷ୍ଟି ଦେବାକୁ ହେବ । କାରଣ ସେମାନେ କାହାକୁ ଭାଷଣ ମାଧ୍ୟମରେ ପରାମର୍ଶ ଦେଇ ନଥାନ୍ତି । ବରଂ ନିଜର ଜୀବନରେ ତାହାକୁ ପାଳନ କରି ସମାଜରେ ବ୍ୟବହାର କରି ଦେଖାଇ ଥାଆନ୍ତି" ।
ଆଜିର ଦୁନିଆରେ ସମାଜ ପରିବର୍ତ୍ତନ ପାଇଁ ଅନେକ ତ୍ୟାଗପୁତ ବ୍ୟକ୍ତିଙ୍କ ଆବଶ୍ୟକ ରହିଥିବା କହିଛନ୍ତି । ଯିଏ କି ନିଜ ଜୀବନରେ ସାଧନା ଫଳରେ ସମାଜ ଓ ରାଷ୍ଟ୍ରର ଉନ୍ନତିରେ ନିଜକୁ ନିୟୋଜିତ କରିପାରୁଥିବ । ସର୍ବଦା ଦେଶ ଓ ଦୁନିଆର ଉନ୍ନତି ନିମିତ୍ତ ଏହି ସଂଗଠନ ଛିଡା ରହିଛି । ଯାହାକି ସାରା ସଂସାରରେ ଏକ ମାତ୍ର ଅଟେ । ଏହାକୁ ପରୀକ୍ଷା କରି ଏହାର ସହଯୋଗୀ ହେବାକୁ ସେ ସମ୍ମିଳନୀରେ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କୁ ଆହ୍ବାନ ଦେଇଛନ୍ତି ।
ଏହି ଅବସରରେ ସେ ବିଶ୍ବର ବିଭିନ୍ନ ଦେଶର ଉଦାହରଣ ଦେଇ କୌଣସି ନା କୌଣସି କାରଣ ପାଇଁ ସେମାନେ ଏକଜୁଟ ହୋଇଥିବା କହିଛନ୍ତି । କିଏ ଭାଷା ପାଇଁ, ତ କିଏ ବାଣିଜ୍ୟ ପାଇଁ ତ ଆଉ କିଏ ସାମ୍ରାଜ୍ୟ ପାଇଁ ଏକଜୁଟ ହୋଇଥିବା ଅନେକ ସମୟରେ ଦେଖିବାକୁ ମିଳିଛି । ତେବେ ଏହି ଭାରତ ବର୍ଷରେ ଅନେକ ବିଭିଦତା ଥାଇ ମଧ୍ୟ ଭାରତ ଏକଜୁଟ ରହିଛି । ମଝିରେ କିଛି ସମୟରେ ଅନେକ ଭାଷାଭାଷୀ ଲୋକ ଏଠାକୁ ଆସିଛନ୍ତି । ସେମାନଙ୍କୁ ଏଠାରେ ରହିବାକୁ ମଧ୍ୟ ଏଦେଶ , ତା ସଂସ୍କୃତି ତାକୁ ସୁଯୋଗ ଦେଇଛି ।
ସୂଚନାଯୋଗ୍ୟ କି ଆଜିଠାରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକି 7 ଦିନ ଧରି ଚାଲିବ ବୋଲି ସୂଚନା ରହିଛି । ଏଥିରେ ସାରାଦେଶରୁ ବିଭିନ୍ନ ପ୍ରାନ୍ତରୁ 370ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଯୋଗଦେବେ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ