ଭୁବନେଶ୍ବର: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ । ଭୁବନେଶ୍ବର ଡମଣା ଛକ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ତେବେ ବିଧାୟକ ସୁଶାନ୍ତ ରାଉତ ମୃତକଙ୍କ ପରିବାରକୁ 30 ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାପାଇଁ ପ୍ରତିଶୃତି ଦେବାପରେ ରାସ୍ତାରୁ ମୃତଦେହ ହଟାଇଥିଲେ ବିକ୍ଷୋଭକାରୀ ।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ କିଛି ଯୁବକ ଯୁବତୀ ବନ୍ଧୁତ୍ବ ଦିବସ ପାଳନ କରି ସ୍କୁଟିରେ ଫେରୁଥିବା ବେଳେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚାଳକ ଦୁଇ ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସିତ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।
ଏନେଇ ଡମଣା ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେବା ସହ ରାସ୍ତା ଲୋକେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। କିନ୍ତୁ ସେମାନେ କ୍ଷତିପୂରଣ ନମିଳିବା ଯାଏଁ ହଟିବୁନାହିଁ ବୋଲି ଦାବି କରିଥିଲେ । ତେବେ ବିଧାୟକ ସୁଶାନ୍ତ ରାଉତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୦ ହଜାର ଟଙ୍କା ମୃତକ ପରିବାରଙ୍କୁ ପ୍ରଦାନ କରିଥିଲେ। ଏହା ସହିତ ଉଭୟ ପରିବାରକୁ ରେଡ଼କ୍ରସକୁ ଅପିଲ କରିବେ ବୋଲି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
ସେପଟେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଫେରାର ଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜଖୋଜି କରୁଥିବା ଜଣା ପଡିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ